ଏଣିକି ବୋଟ୍‌ ମାଲିକଙ୍କୁ ଅନ୍‌ଲାଇନ୍‌ରେ ମିଳିବ ଲାଇସେନ୍‌ସ୍‌

ବାଣିଜ୍ୟ ଓ ପରିବହନ ବିଭାଗରେ ଅନ୍‌ଲାଇନ୍‌ ବିମ୍‌ସ ସେବା ଲୋକାର୍ପିତ

ଭୁବନେଶ୍ବର : ଏଣିକି ଅନ୍‌ଲାଇନ୍‌ ଯୋଗେ ବୋଟ୍‌ ମାଲିକମାନଙ୍କୁ ପ୍ରଦାନ ହୋଇପାରିବ ବୋଟ୍‌ ଲାଇସେନ୍‌ସ। ଏଥିପାଇଁ ଅନ୍ତର୍ଦେଶୀୟ ଜଳପଥ ପରିବହନ ସେବାରେ ନିୟୋଜିତ ସମସ୍ତ ବୋଟ୍‌ ପଞ୍ଜୀକରଣ ଓ ନବୀକରଣ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଅନ୍‌ଲାଇନ୍‌ ସେବା ଆରମ୍ଭ କରାଯାଇଛି। ଆଜି ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା ବୋଟ୍‌ ଇନ୍‌ଫର୍‌ମେସନ୍‌ ଆଣ୍ଡ୍‌ ମ୍ୟାନେଜ୍‌ମେଣ୍ଟ୍‌ ସିଷ୍ଟମ୍‌ (ବିମ୍‌ସ)ର ଲୋକାର୍ପଣ କରିଛନ୍ତି।

ଖାରବେଳ ଭବନରେ ଏହି ଅନ୍‌ଲାଇନ୍‌ ସେବାର ଶୁଭାରମ୍ଭ କରି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ, ଅନ୍ତର୍ଦେଶୀୟ ଜଳପଥରେ ନିରାପଦ ଯାତ୍ରା ନିମନ୍ତେ ରାଜ୍ୟ ସରକାର ଓଡ଼ିଶା ବୋଟ୍‌ ରୁଲ୍‌ସ୍‌-୨୦୦୪ ପ୍ରଣୟନ କରିଛନ୍ତି। କିନ୍ତୁ ଏବେ ସୁଦ୍ଧା ମାନୁଆଲ୍‌ ପଦ୍ଧତିରେ ବୋଟ୍‌ ପଞ୍ଜୀକରଣ କାର୍ଯ୍ୟ ସମ୍ପାଦିତ ହେଉଛି। କିନ୍ତୁ ବିମ୍‌ସ ଦ୍ବାରା ମାଲିକମାନେ ଘରେ ରହି ସେମାନଙ୍କ ବୋଟ୍‌ଗୁଡ଼ିକୁ ପଞ୍ଜୀକରଣ କରିବା ସହିତ ଲାଇସେନ୍‌ସ୍‌ ନବୀକରଣ କରିପାରିବେ। ଏହି ଅବସରରେ ମନ୍ତ୍ରୀ ଜଣେ ବୋଟ୍‌ ମାଲିକଙ୍କୁ ପଞ୍ଜୀକରଣ ଲାଇସେନ୍‌ସ ପ୍ରଦାନ କରିଥିଲେ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ମଦୁସୂଦନ ପାଢ଼ୀ କହିଥିଲେ, ରାଜ୍ୟ ସରକାରଙ୍କ ୫’ଟି’ ସଂସ୍କାର କାର୍ଯ୍ୟକ୍ରମକୁ ବିଭାଗ ଅକ୍ଷରେ ଅକ୍ଷରେ ପାଳନ କରିଆସୁଛି। ଗୋଟିଏ ବୋଟ୍‌ର ସମସ୍ତ ତଥ୍ୟ ବିମ୍‌ସ ପ୍ଲାଟଫର୍ମ୍‌ ଜରିଆରେ ଗୋଟିଏ ବ୍ୟବସ୍ଥାରେ ଏକତ୍ରିତ କରାଯାଇପାରିବ। ଯାହାକକୁ ଜିଲ୍ଲା ଅଧିକାରୀମାନେ ବ୍ୟବହାର କରିପାରିବେ। ଏହି ଆପ୍ଲିକେସନ୍‌ ଦ୍ବାରା ବୋଟ୍‌ର ପଞ୍ଜୀକରଣ ଓ ନବୀକରଣ ବୈଧତା ସରିବା ପୂର୍ବରୁ ମାଲିକମାନଙ୍କୁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ସତର୍କ କରାଯାଇପାରିବ। ଏହି ଅନ୍‌ଲାଇନ୍‌ ବ୍ୟବସ୍ଥା ଏନ୍‌ଏସ୍‌ଆଇସିଙ୍କ ସହଯୋଗରେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ବାରା ବିକଶିତ କରାଯାଇଛି। ବନ୍ଦର ଓ ଅନ୍ତର୍ଦେଶୀୟ ଜଳପଥ ପରିବହନ ନିର୍ଦ୍ଦେଶାଳୟ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ଏହି ଅନ୍‌ଲାଇନ୍‌ ସେବାକୁ ଭବିଷ୍ୟତରେ ଅଧିକ ସଂପ୍ରାସାରିତ କରାଯିବ ବୋଲି ସେ ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଭାଗର ଅତିରିକ୍ତ ଶାସନ ସଚିବ ଲକ୍ଷ୍ମୀଧର ବେହେରା, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ମନମୋହନ ବାରିକ, ବନ୍ଦର ଓ ଅନ୍ତର୍ଦେଶୀୟ ଜଳପଥ ପରିବହନ ନିର୍ଦ୍ଦେଶକ ପଦ୍ମଲୋଚନ ରାଉଳ, ବିଭାଗୀୟ ଯୁଗ୍ମ ଶାସନ ସଚିବ ଦେବଦତ୍ତ ଜେନା, ଏନ୍‌ଏସ୍‌ଆଇସିର କର୍ମକର୍ତ୍ତା ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର