ବୋଟ୍ କିଣାବିକା, ମରାମତିରେ ଟେଣ୍ଡର ଫିକ୍ସିଂ : ଦୋଷ ଢାଙ୍କିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ, ଗାଦି ଛାଡ଼ିବାକୁ ଅଧିକାରୀ ନାରାଜ

ଯାଜପୁର : ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗରେ ବୋଟ୍ କିଣାବିକା ଓ ମରାମତିରେ ଟେଣ୍ଡର ଫିକ୍ସି କାରବାର ଏବେ ପଦାକୁ ଆସିଛି। ଅଧିକାରୀ ଯେତେ ଲୁଚାଇଲେ ବି ଲୁଚୁ ନାହିଁ। ସେପଟେ ଦୋଷ ଢାଙ୍କିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ ହୋଇଛି। ଗାଦି ଛାଡ଼ିବାକୁ ଅଧିକାରୀ ନାରାଜ।

ମିଳିଥିବା ସୂଚନା ଅନୁଯାୟୀ, ୪୮ଟି ବୋଟ୍ ମରାମତି ବାବଦରେ ଗତ ୨ବର୍ଷରେ ଯଥାକ୍ରମେ ୮୯ଲକ୍ଷ ଓ ୫୯.୬୪ଲକ୍ଷ ବ୍ୟୟ ନାମରେ ହରିଲୁଟ୍ ହୋଇଛି। ମରାମତି ନାମରେ ମୋଟ ୧କୋଟି ୪୮.୬୪ଲକ୍ଷ ବ୍ୟୟ କରାଯାଇଥିବା ବେଳେ ୨୦ଲକ୍ଷ ଟଙ୍କା ବି ବ୍ୟୟ କରାଯାଇ ନାହିଁ। କେ‌ବଳ ରଙ୍ଗ ବୋଲି କୋଟିଏରୁ ଅଧିକ ଟଙ୍କା ହଡ଼ପ କରାଯାଇଛି। ୨୦୧୬ମସିହାରେ ୪ଜଣ ଟିମ୍ ୪୧ଟି ବୋଟ୍ କୁ ମାତ୍ର ୪ଲକ୍ଷ ୧୦ ହଜାର ଟଙ୍କାରେ ଟେଣ୍ଡର ଫିକ୍ସିଂ କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଇଛି ବୋଲି ଅଭିଯୋଗ ହେଉଛି। ଟେଣ୍ଡରରେ ମାତ୍ର ୨ଜଣ ଭାଗ ନେଇଛନ୍ତି। ଯାହାକି ବେଆଇନ୍ ବୋଲି ଅଭିଯୋଗ ହେଉଛି।

ବୋଟ୍ ବିକ୍ରି ଓ ମରାମତି ଘୋଟାଲାର ଅଡ଼ିଟ୍ ରିପୋର୍ଟକୁ ଚପାଇ ରଖାଯାଇଛି। ବିବାଦ ଘେରରେ ଥିବା ଷ୍ଟେଟ୍ ପୋର୍ଟ ଇଂଜିନିୟର ଉନା ସୂର୍ଯ୍ୟନାରାୟଣଙ୍କୁ ଜଳସମ୍ପଦ ବିଭାଗ ଚିଠି ନମ୍ବର ୧୬୩୭୩ ତା ୨୧/୬/୧୮ରେ ବଦଳି କଲାଣି। ଅଥଚ ଆଜି ପର୍ଯ୍ୟନ୍ତ ତାଙ୍କୁ ରିଲିଭ କରାଯାଉନାହିଁ। ଏହି ଅଧିକାରୀଙ୍କ ପାଇଁ ରାଜ୍ୟରେ ଶହେ ନାବିକ ଓ ଖଲାସୀ ନିଯୁକ୍ତି ନପାଇ ମୁଣ୍ଡ ଗଡ଼ାଉଛନ୍ତି। ଫନି ପାଇଁ ଗତ ମେ ମାସରୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ହୋଇଥିବା ବେଳେ ରାଜ୍ୟ ରେ ୫୧୦ ନାବିକ ଓ ଖଲାସୀଙ୍କ ସ୍ଥାନ ପୂରଣ ନହୋଇ ପଡ଼ିରହିଛି। ଜିଲ୍ଲା ଗୁଡ଼ିକରେ ବିବାଦ ସୃଷ୍ଟି ହୋଇଛି।

ଦୀର୍ଘ ୧୪ବର୍ଷ ହେଲା ୨୦୦୫ ରୁ ଉପସଚିବ ବିକ୍ରମାଦିତ୍ୟ ବାରିକ ଏହି ଠାରେ ଗାଦି ମାଡ଼ି ବସିଛନ୍ତି। ୪୧ଟି ବୋଟ୍ ଟେଣ୍ଡର ଫିକ୍ସିଂ କାରବାର ଓ ୪୮ ବୋଟ୍ ମରାମତି କୋଟି କୋଟି ଟଙ୍କା ହେରାଫେରି ‌ହୋଇଛି। ଯାହାକି ସଠିକ ଅଡିଟ୍ ଧରାପଡ଼ିବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି। ‌ତେବେ ବିବାଦୀୟ ଅଧିକାରୀଙ୍କୁ ତାଙ୍କ ପଦବିରୁ ନହଟାଇବାକୁ ଉଚ୍ଚ ପଦାଧିକାରୀ କାହିଁକି ଟାଳଟୁଳ ନୀତି ଗ୍ରହଣ କରୁଛନ୍ତି, ସେ ନେଇ ସନ୍ଦେହ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର