ଚିଲିକାରେ ଯାତ୍ରୀଙ୍କୁ ଶୋଷଣ : ପ୍ରଶାସନର ନିଘା ନାହିଁ, ବାଇକ୍‌ ସହ ଜଣଙ୍କୁ ୧୦୦ଟଙ୍କା

ବ୍ରହ୍ମଗିରି : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଦ୍ବୀପାଞ୍ଚ‌ଳ ଲୋକଙ୍କ ଯାତାୟାତ ପାଇଁ ସରକାର କୌଣସି ବ୍ୟବସ୍ଥା କରିନାହାନ୍ତି। ଫଳରେ ଲୋକେ ଚିଲିକା ପାରି ହେବାକୁ ଏବେ ଡଙ୍ଗା ଚାଳକଙ୍କ ଦ୍ବାରା ଶୋଷଣ ହେଉଥିବା ଅଭି‌ଯୋଗ ହୋଇଛି। ଏବେ ସ୍ଥାନୀୟ କିଛି ଡଙ୍ଗା ଚିଲିକାରେ ଯାତ୍ରୀ ପରିବହନ କରୁଛି। ଜଣେ ଯାତ୍ରୀଙ୍କ ପିଛା ୫୦ ଟଙ୍କା ଆଦାୟ ହେଉଥିବା ବେଳେ ବାଇକ୍‌ ସହ ଜଣଙ୍କ ପିଛା ୧୦୦ ଟଙ୍କା ଆଦାୟ ହେଉଥିବା ଅଭିଯୋଗ ହୋଇଛି। ଗୋଟିଏ ଡଙ୍ଗାରେ ୧୫ରୁ ଅଧିକ ବାଇକ୍‌ ସହିତ ଯାତ୍ରୀ ପରିବହନ ହେଉଛି। ଘାଟ ଡଙ୍ଗାରେ ଜଣେ ଯାତ୍ରୀ ପିଛା ୫ ଟଙ୍କା ଏବଂ ବାଇକ୍‌ ପିଛା ୧୫ ଟଙ୍କା ଏବଂ ଭସାପୋଲରେ ଯାତ୍ରୀ ପିଛା ୪ ଟଙ୍କା ଏବଂ ବାଇକ୍‌ ପିଛା ୧୫ଟଙ୍କା ସରକାରୀ ଦର ଧାର୍ଯ୍ୟ ରହିଛି। ଏବେ ଏହି ଦୁଇଟି ଯାତ୍ରୀ ପରିବହନ ବ୍ୟବସ୍ଥା ବନ୍ଦ ଥିବାରୁ ଚିଲିକାରେ ଯାତ୍ରୀ ଶୋଷଣ ବଢ଼ି ଚାଲିଛି।

go2india

ଖବର ନେବାରେ ଜଣାପଡ଼ିଛି, ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ର ୧୪ଟି ପଞ୍ଚାୟତର ଲୋକେ ଚିଲିକା ଆରପାରିରେ ରହୁଛନ୍ତି। ଏହି ୧୪ଟି ପଞ୍ଚାୟତ ମଧ୍ୟରେ ରହିଛି ବ୍ଲକ୍‌ର ସମସ୍ତ କାର୍ଯ୍ୟାଳୟ। ବ୍ରହ୍ମଗିରି ପଟେ ୭ଟି ପଞ୍ଚାୟତ ରହିଛି। ଏହି ୭ ପଞ୍ଚାୟତର ଲୋକେ ବ୍ଲକ୍ କାମ ପାଇଁ ସାତପଡ଼ା ଘାଟରୁ ଚିଲିକା ପାରି ହୋଇ ଆରପାରିକୁ ଯାଇଥାନ୍ତି। ୧୪ଟି ପଞ୍ଚାୟତ ଲୋକେ ଜିଲ୍ଲାରେ ପଡୁଥିବା କାମ ସହିତ ବ୍ରହ୍ମଗିରିରେ ଥିବା ସମବାୟ ବ୍ୟାଙ୍କକୁ ଆସିଥାନ୍ତି। ଏବେ ଚାଷୀ ସେମାନଙ୍କ ଧାନ ମଣ୍ତିରେ ଦେଇଥିବାରୁ ପ୍ରତ୍ୟେକ ଦିନ ଶତାଧିକ ଚାଷୀ ଚିଲିକା ପାରି ହୋଇ ସମବାୟ ବ୍ୟାଙ୍କକୁ ଆସୁଛନ୍ତି। ଏହା ସହିତ ଜିଲ୍ଲାରେ ଥିବା କାର୍ଯ୍ୟାଳୟ ଅନ୍ୟ କାମ ପାଇଁ ଚିଲିକା ପାରି ହୋଇଥାନ୍ତି। ସାତପଡ଼ା ଘାଟରୁ ଜହ୍ନିକୁଦା ଘାଟ ୫ କିଲୋମିଟର ଜଳପଥ ହିଁ ଏକମାତ୍ର ମାଧ୍ୟମ। ଜଳପଥରେ ହିଁ ପାରି ହୋଇଥାନ୍ତି ଲୋକେ। ଲକ୍‌ଡାଉନ୍ ପରଠାରୁ ପ୍ରଶାସନ ଓ ସରକାର ଘାଟ ଡଙ୍ଗା ଓ ଭସାପୋଲ ବନ୍ଦ କରିଛନ୍ତି। ଘାଟ ଡଙ୍ଗାକୁ ସ୍ଥାନୀୟ ପ୍ରଶାସନ ନିୟନ୍ତ୍ରଣ କରୁଥିବା ବେଳେ ଭସାପୋଲ ଚଳାଚଳ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଅଧୀନରେ ରହିଛି। ଲକ୍‌ଡାଉନ୍‌ ଯୋଗୁ ଏହି ଯାତ୍ରୀ ସେବା ବନ୍ଦ ରହିଛି। କରୋନା କଟକଣା କୋହଳ ପରେ ମଧ୍ୟ ଏହା ଚାଲୁ ନାହିଁ।

go2india

ସରକାର ବସ୍‌ ଚଳାଚଳ ସହିତ ଅଟୋ, ଟ୍ୟାକ୍ସି, ବିମାନ, ଟ୍ରେନ୍‌ ଚଳାଚଳ ପାଇଁ ଅନୁମତି ଦେଇ ସାରିଛନ୍ତି। କଟକଣା ଭିତରେ ଯାତ୍ରୀ ପରିବହନ ପାଇଁ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଚିଲିକାରେ ଯାତ୍ରୀ ପରିବହନ ପାଇଁ ଆଜି ସୁଦ୍ଧା କୌଣସି ବ୍ୟବସ୍ଥା ହୋଇ ନାହିଁ। ଯାହା ବି ହୋଇଛି ତାହା ବନ୍ଦ ପଡ଼ିଛି। ପୁଣି ଯାତ୍ରୀଙ୍କୁ ଶୋଷଣ ଚାଲିଥିବା ବେଳେ ନା ସେଠାରେ ପୁଲିସ ପ୍ରଶାସନ କି ବ୍ଲକ୍ ପ୍ରଶାସନ କେହି ପହଞ୍ଚୁଛନ୍ତି। ସରକାର ଓ ପ୍ରଶାସନ ତୁରନ୍ତ ଚିଲିକାରେ ଯାତ୍ରୀ ପରିବହନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ସହ ଶୋଷଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର