ଧାମରା: ବାତ୍ୟା ପାଇଁ ବୋଟ୍‌ଗୁଡ଼ିକ ଗତକାଲିଠାରୁ ଧାମରା ଜେଟି ଏବଂ ଆଖପାଖ ନଦୀରେ ଲଙ୍ଗର ପକାଇ ରହିଛି। ଆଜି ଧାମରା ଜେଟିରେ ବନ୍ଧା ହୋଇଥିବା ବୋଟ୍‌କୁ ଅନ୍ୟ ଏକ ବୋଟ୍‌ ଧକ୍କା ଦେବାରୁ ଗୋଟିଏ ବୁଡ଼ିଯାଇଥିବା ବେଳେ ସେଥିରେ ଥିବା ୬ ଜଣ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Advertisment

ସୂଚନା ଅନୁସାରେ, ଆଜି ସକାଳେ ଦୀଘା ଶଙ୍କରପୁର ଅଞ୍ଚଳର ଏକ ମାଛଧରା ବୋଟ୍‌ ‘ଡେଲଟାସ୍‌ ବେ’ରେ ଡ୍ରାଇଭର ରବୀନ୍ଦ୍ର ଦାସଙ୍କ ସହିତ ମୋଟ ୧୪ ଜଣ ମତ୍ସ୍ୟଜୀବୀ ଥିଲେ। ଧାମରା ଜେଟିରେ ପହଞ୍ଚିବା ପରେ ୮ ଜଣ କୂଳକୁ ଆସି ମାଛ କିପରି ବିକ୍ରି ହେବ ବୁଝୁଥିବା ବେଳେ ବୋଟ୍‌ରେ ୬ ଜଣ ମତ୍ସ୍ୟଜୀବୀ ରହିଥିଲେ। ଏହି ସମୟରେ ସେଠାରେ ବନ୍ଧା ହୋଇଥିବା ଅନ୍ୟ ଏକ ବୋଟ୍‌ ଜେଟିରୁ ବାହାରିବା ସମୟରେ ‘ଡେଲଟାସ୍‌ ବେ’କୁ ଧକ୍କା ଦେଇଥିଲା। ଫଳରେ, କିଛିଅଂଶ ଭାଙ୍ଗିଯାଇ ପାଣି ପଶିଯିବାରୁ ଭାରସାମ୍ୟ ହରାଇ ବୋଟ୍‌ଟି ବୁଡ଼ିଯାଇଥିଲା। ବୋଟ୍‌ରେ ଥିବା ମତ୍ସ୍ୟଜୀବୀଙ୍କ ଚିତ୍କାର ଶୁଣି ଧାମରା ସାମୁଦ୍ରିକ ଥାନାର କର୍ମଚାରୀମାନେ ତତ୍‌କ୍ଷଣାତ୍‌ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ମତ୍ସ୍ୟଜୀବୀମାନେ ହେଲେ, ଦିବାକର ମୁର୍ମୁ, କ୍ରିଷ୍ଣା ପାତ୍ର, ଶାନ୍ତନୁ କୁମାର ଧଳ, ରାଜେନ୍ଦ୍ର ହାଁସଦା, ବାବୁ କୁମାର ମାଝୀ ଓ ଚାଳକ ରବୀନ୍ଦ୍ର। ଖୋଜାଖୋଜି ପରେ ଧାମରା ଜେଟିଠାରୁ ଦେଢ଼ କିମି ଦୂର ସୁନାଦରିଆ ନିକଟରେ ‘ଡେଲଟାସ୍‌ ବେ’କୁ ଉଦ୍ଧାର କରାଯାଇଛି।