ଚିଲିକାରେ ବୁଡ଼ିଲା ଡଙ୍ଗା: ୧୦ ଉଦ୍ଧାର, ଜଣେ ନିଖୋଜ

ବାଲୁଗାଁ : ଗୁରୁବାର ପୁଣି ଚିଲିକାରେ ଘଟିଛି ଅଘଟଣ। କାଳିଜାଈ ଦର୍ଶନ ପାଇଁ ପର୍ଯ୍ୟଟକଙ୍କୁ ନେଇ ଯାଇଥିବା ଏକ ଡଙ୍ଗା ଚିଲିକାର ଅଥଳ ଜଳରେ ବୁଡ଼ି ଯାଇଛି। ପ୍ରଶାସନର ତ୍ବରିତ ପଦକ୍ଷେପ ଯୋଗୁ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି। ତେବେ ଏହି ଡଙ୍ଗାରେ ଥିବା ଜଣେ ସ୍ଥାନୀୟ ଲୋକ ଏପର୍ଯ୍ୟନ୍ତ ନିଖୋଜ ଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲା ରେମୁଣା ଅଞ୍ଚଳର ୮ ଜଣ ପୁରୁଷ ଓ ମହିଳା ମିଶି ଗୁରୁବାର ଦିନ ଚିଲିକା ବୁଲିବାକୁ ଆସିଥିଲେ। ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ କାଳିଜାଈଙ୍କୁ ଦର୍ଶନ କରିବା ପରେ ଅପରାହ୍ଣ ୪ଟା ସମୟରେ ମନ୍ଦିରରୁ ଫେରିଥିଲେ। ପ୍ରାୟ ୪୦ ମିନିଟ୍‌ ଜଳଯାତ୍ରା କରିବା ପରେ ଚିଲିକା ମଧ୍ୟରେ ଥିବା ଚଢ଼େଇଗୁହା ପାହାଡ଼ ନିକଟରେ ପ୍ରବଳ କାଳବୈଶାଖୀ ପବନ ଯୋଗୁ ଡଙ୍ଗାଟି ବୁଡ଼ି ଯାଇଥିଲା। ସମସ୍ତ ଯାତ୍ରୀ ଲାଇଫ୍ ଜ୍ୟାକେଟ୍ ପିନ୍ଧିଥିବାରୁ ବୁଡ଼ି ନ ଯାଇ ସମସ୍ତେ ଏକ ବାଉଁଶକୁ ଧରି ପାଣିରେ ଭାସି ରହିଥିଲେ। ଡଙ୍ଗାବୁଡ଼ି ସମ୍ପର୍କରେ ସୂଚନା ପାଇ ନିକଟରେ ଥିବା ବଡ଼କୁଳ ପାନ୍ଥନିବାସର ଏକ ସ୍ବତନ୍ତ୍ର ଲଞ୍ଚ୍ ଯାଇ ଭାସୁଥିବା ଏହି ୮ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଥିଲା। ଯାତ୍ରୀଙ୍କ ସହ ବୁଡ଼ି ଯାଇଥିବା ଡଙ୍ଗାର ଚାଳକ ଓ ହେଲପରଙ୍କୁ ଉଦ୍ଧାର କରାଯାଇଛି। ତେବେ ସେହି ଡଙ୍ଗାରେ ଆସୁଥିବା ଅନ୍ୟ ବ୍ୟକ୍ତି ପାଣିରେ ବୁଡ଼ି ଯାଇ ନିଖୋଜ ଅଛନ୍ତି। ନିଖୋଜ ଥିବା ଚାଳକଙ୍କ ନାମ ରାଜକିଶୋର ଖୁଣ୍ଟିଆ। ତାଙ୍କ ଘର ବାଲୁଗାଁ ନିକଟସ୍ଥ କୋଦପୁର ଗ୍ରାମର ବୋଲି ଜଣାପଡ଼ିଛି। ପାଣିରୁ ଉଦ୍ଧାର ହୋଇଥିବା ଯାତ୍ରୀମାନଙ୍କୁ ବାଲୁଗାଁ ମେଡିକାଲରେ ଚିକିତ୍ସା କରାଯାଉଛି।

ସମ୍ବନ୍ଧିତ ଖବର