ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା

ବ୍ରହ୍ମଗିରି : ଆଜି ସକାଳୁ ଜହ୍ନିକୁଦା ଘାଟରୁ ୩୦ ଜଣ ପରୀକ୍ଷାର୍ଥୀଙ୍କ ସମେତ ୭୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ମଝି ଚିଲିକାରେ ଫସି ରହିବା ଯୋଗୁଁ ଆତଙ୍କ ଖେଳି ଯାଇଥିଲା। ତେବେ ଡଙ୍ଗା ଚାଳକ କାତକୁ ଧରି ଭାରସାମ୍ୟ ରକ୍ଷା କରିବା ସହ ଆଉ ଏକ ଡଙ୍ଗା ଆସି ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରୁ ଅଳ୍ପକେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅବସ୍ଥାରେ କୂଳରେ ପହଞ୍ଚିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ ଜହ୍ନିକୁଦା ଘାଟରୁ ୩୦ ଜଣ ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ସମେତ ୭୦ଜଣ ଯାତ୍ରୀ ୨୦ରୁ ଅଧିକ ବାଇକ୍‌ ସହ ଏକ ଡଙ୍ଗାରେ ସାତପଡ଼ା ଘାଟକୁ ଆସୁଥିଲେ। ୧୫ ମିନିଟ୍ ଆସିବା ପରେ ହଠାତ୍ ମଝି ଚିଲିକାରେ ଡଙ୍ଗାର ମଟର ବନ୍ଦ ହୋଇଯାଇଥିଲା। ଫଳରେ ଯାତ୍ରୀମାନେ ମଝି ଚିଲିକାରେ ଫସି ରହିଥିଲେ। ତେବେ ଡଙ୍ଗା ଚାଳକ ଯାତ୍ରୀମାନଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେବା ସହ ଡଙ୍ଗାର କାତକୁ ଧରି ଭାରସାମ୍ୟ ରକ୍ଷା କରିଥିଲେ। ଦୀର୍ଘ ଅଧ ଘଣ୍ଟା କାଳ ମଝି ଚିଲିକାରେ ଡଙ୍ଗା ଫସି ରହିବା ପରେ ଆଉ ଏକ ଡଙ୍ଗା ସେଠାରେ ପହଞ୍ଚି ଯାତ୍ରୀମାନଙ୍କୁ ସୁରକ୍ଷିତ ଅବସ୍ଥାରେ କୂଳକୁ ଆଣିଥିଲା। ସାତପଡ଼ା ଘାଟରେ ସୁରକ୍ଷିତ ଅବସ୍ଥାରେ ପହଞ୍ଚିବା ପରେ ପରୀକ୍ଷାର୍ଥୀମାନେ ସାତପଡ଼ାସ୍ଥିତ ପଞ୍ଚାୟତ କଲେଜକୁ ପରୀକ୍ଷା ଦେବାକୁ ଯାଇଥିଲେ।

ସମ୍ବନ୍ଧିତ ଖବର