ବ୍ରାହ୍ମଣୀରେ ବୁଡ଼ିଲା ଡଙ୍ଗା; ଅଳ୍ପକେ ବର୍ତ୍ତିଲେ ୧୬

ରାଜନଗର/ଆଳି : ବ୍ରାହ୍ମଣୀ ନଦୀରେ ୧୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ି ଯାଇଛି। ଆଜି ରାତି ପ୍ରାୟ ସାଢେ ସାତଟା ବେଳେ ଆଳି ବ୍ଲକର ଏକମାଣିଆରୁ ୧୬ ଜଣ ଯାତ୍ରୀ ଓ ୬ଟି ମଟରସାଇକଲ ନେଇ ଆସୁଥିବା ଏହି ଡଙ୍ଗା ଭାରସାମ୍ୟ ହରାଇ ବୁଡ଼ି ଯାଇଥିବାବେଳେ ସମସ୍ତ ଯାତ୍ରୀଙ୍କୁ କିନ୍ତୁ ଉଦ୍ଧାର କରାଯାଇପାରିଛି। ସେମାନଙ୍କ ମଧ୍ୟରୁ ଗୁରୁତର ହୋଇପଡ଼ିଥିବା ୨ ଜଣଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଆଳି ବ୍ଲକର ଏକମାଣିଆ ପଞ୍ଚାୟତ ପକ୍ଷରୁ ଏକମାଣିଆରୁ ରାଜନଗର ବ୍ଲକର କେରେଡ଼ାଗଡ଼ ଯାଏ ଫେରିଘାଟ ଚାଲିଥାଏ। ଆଜି ସନ୍ଧ୍ୟାରେ ୧୬ ଜଣ ଯାତ୍ରୀ ଓ ୬ଟି ମଟରସାଇକଲ ବୋଝେଇ କରି ଡଙ୍ଗା ଏକମାଣିଆରୁ କେରେଡ଼ାଗଡ଼ ଆସୁଥିଲା। ରାତି ପ୍ରାୟ ୮ଟା ବେଳେ ଡଙ୍ଗାରେ ପାଣି ପଶିବା ଆରମ୍ଭ କରିଥିଲା। କେରେଡ଼ାଗଡ଼ କୂଳଠାରୁ ୫୦ ମିଟର ଦୂରରେ ଡଙ୍ଗାଟି ଓଲଟି ପଡ଼ିଥିଲା। ଏଥିରେ ସମସ୍ତ ଯାତ୍ରୀ ପୁରୁଷ ଥିବାବେ‌ଳେ ସେମାନଙ୍କ ମଧ୍ୟରୁ ୧୦ ଜଣ ପହଁରି ପହଁରି କୂଳକୁ ଚାଲି ଆସିଥିଲେ। ଅନ୍ୟମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ତେବେ ଦିବାକର ବେହେରା(୨୩) ଓ ପ୍ରଶାନ୍ତ କରଣ (୫୦)ଙ୍କ ଅବସ୍ଥା ଗୁରୁତର ଥିବାରୁ ଦୁହିଁଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। କ୍ଷମତାଠାରୁ ଅଧିକ ଯାତ୍ରୀ ଓ ମଟରସାଇକଲ ବୋଝେଇ ଯୋଗୁଁ ଡଙ୍ଗା ଓଲଟି ପଡ଼ିଲା ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ଆଳି ବ୍ଲକରେ ଏକମାଣିଆ, ନଳପାହି ଓ ଦକ୍ଷିଣଦିଆ ପ୍ରଭୃତି ୩ଟି ଗାଁକୁ ବ୍ରାହ୍ମଣୀ ନଦୀ ଚାରିପଟରୁ ଘେରି ରହିଛି। ଏହି ୩ ଗ୍ରାମବାସୀଙ୍କ ଯାତାୟତର ଏକମାତ୍ର ମାଧ୍ୟମ ହେଉଛି ଡଙ୍ଗା।

ସମ୍ବନ୍ଧିତ ଖବର