ବଡ଼ମୂଳରୁ ଟିକରପଡ଼ା ପର୍ଯ୍ୟନ୍ତ ହେବ ବୋଟିଂ, ସାତକୋଶିଆ ଗଣ୍ଡରେ ମିଳିବ ବୋଟିଂ ସୁବିଧା

ବୃନ୍ଦାବନ ଗାର୍ଡେନ୍‌ ଢାଞ୍ଚାରେ ଉନ୍ନତୀକରଣ ହେବ ହୀରାକୁଦ ମଝିରେ ଥିବା ଦ୍ବୀପ

ଶିମିଳିପାଳରେ ଗୁଡ଼ଗୁଡ଼ିଆରୁ ଦେବସ୍ଥଳୀ ପର୍ଯ୍ୟନ୍ତ ହେବ ଜଙ୍ଗଲ ସଫାରି

ଭୁବନେଶ୍ବର: ମହାନଦୀର ସାତକୋଶିଆ ଗଣ୍ଡରେ ଏଣିକି ପର୍ଯ୍ୟଟକମାନେ ଅଧିକ ସମୟ ବୋଟିଂ କରିପାରିବେ। ବଡ଼ମୂଳରୁ ଟିକରପଡ଼ା ପର୍ଯ୍ୟନ୍ତ ଲମ୍ବିଥିବା ସାତକୋଶିଆ ଗଣ୍ଡରେ ନିୟମିତ ବୋଟିଂ ହେବ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏବେ ସାତକୋଶିଆ ଗଣ୍ଡରେ ଟିକରପଡ଼ା ନିକଟରେ ଏବଂ ବଡ଼ମୂଳରେ କିଛି ଅଞ୍ଚଳ‌ ମଧ୍ୟରେ ବୋଟିଂ କରିବାର ସୁବିଧା ପର୍ଯ୍ୟଟକଙ୍କୁ ମିଳୁଥିଲେ ହେଁ ଆଗକୁ ପୂରା ସାତକୋଶିଆ ଗଣ୍ଡରେ ବୋଟିଂ କରିବାର ସୁବିଧା ଉପଲବ୍ଧ ହେବ। ସାତ‌କୋଶିଆ ଗଣ୍ଡ ମହାନଦୀର ସବୁଠୁ ଅଧିକ ଗଭୀର ଅଞ୍ଚଳ ହୋଇଥିବାବେଳେ ଏଠାରେ କୁମ୍ଭୀର ଯାତାୟତ କରୁଥିବାରୁ କେବଳ ବନ ବିଭାଗର କର୍ମଚାରୀମାନେ ଏଠାରେ ବୋଟିଂ କରୁଥିଲେ। କୌଣସି ପର୍ଯ୍ୟଟକଙ୍କୁ ସାତ‌କୋଶିଆର କୋର୍‌ ଅଞ୍ଚଳକୁ ବୋଟିଂ ପାଇଁ ଛଡ଼ା ହେଉନଥିଲା। କିନ୍ତୁ ଏବେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏହି ନିଷ୍ପତ୍ତି ହୋଇଛି। ଏଥିପାଇଁ ପର୍ଯ୍ୟଟକଙ୍କ ସମସ୍ତ ସୁରକ୍ଷା ବ୍ୟବସ୍ଥା ସହ ବଡ଼ ବୋଟ୍‌ର ବ୍ୟବସ୍ଥା ହେବ। ଯାତ୍ରୀ ଯାତାୟତ କରିବାକୁ ଥିବା ବୋଟ୍‌ ଯେପରି କୌଣସି ପ୍ରତିକୂଳ ପରିସ୍ଥିତିରେ ବି ବୁଡ଼ିବନି ସେ ନେଇ ନିଶ୍ଚିତ କରିବାକୁ ଜଙ୍ଗଲ ଓ ପରିବେଶ ବିଭାଗକୁ କୁହାଯାଇଛି। ଏହାସହ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳରେ ଚୁଟକେଇରୁ ତୁଲକା ଜଳପ୍ରପାତ ମଧ୍ୟରେ ବି ଜଙ୍ଗଲ ସଫାରି କରିବାକୁ ନିଷ୍ପତ୍ତି ହୋଇଛି।

ସେହିପରି ଶିମିଳିପାଳକୁ ଯେପରି ଅଧିକ ପର୍ଯ୍ୟଟକ ଆସିବେ ଏବଂ ବିଭିନ୍ନ ଜୀବଜନ୍ତୁଙ୍କୁ ପାଖରୁ ଦେଖିପାରିବେ ସେଥିପାଇଁ ଗୁଡ଼ଗୁଡ଼ିଆରୁ ଦେବସ୍ଥଳୀ ପର୍ଯ୍ୟନ୍ତ ୨୫କିମି ଅଞ୍ଚଳରେ ଏକ ଜଙ୍ଗଲ ସଫାରି କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ କେଉଁ କେଉଁ ପ୍ରାଣୀ ଉକ୍ତ ଅଞ୍ଚଳରେ ଛଡ଼ାଯିବ, କେଉଁ ଭଳିଆ ଗାଡ଼ିରେ ପର୍ଯ୍ୟଟକ ଯିବେ ସେନେଇ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି। ଏହାଛଡ଼ା ଚିଲିକାରେ ପର୍ଯ୍ୟଟକଙ୍କ ପାଇଁ ନଳବଣରେ ଏକ ‌ଭାସମାନ ଜେଟି ନିର୍ମାଣ କରିବା ସହ ପର୍ଯ୍ୟଟକମାନେ ବାଇନୋକୁଲାରରେ ଯେପରି ପକ୍ଷୀଙ୍କୁ ଦେଖିପାରିବେ ସେ ବ୍ୟବସ୍ଥା କରିବାକୁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ଅନ୍ୟପକ୍ଷରେ ହୀରାକୁଦ ଡ୍ୟାମ୍‌ରେ ଜଳସମ୍ପଦ ବିଭାଗ ଅଧୀନରେ ୩୦୦ ଏକରର ଏକ ଦ୍ବୀପ ଅଛି। ଏହାକୁ କର୍ଣ୍ଣାଟକର ବୃନ୍ଦାବନ ଗାର୍ଡେନ୍ ଢାଞ୍ଚାରେ ଉନ୍ନତୀକରଣ କରିବାକୁ କୁହାଯାଇଛି। ଏଠାରେ ବଗିଚା, କୃତ୍ରିମ ଝରଣା, କନଭେନସନ୍ ସେଣ୍ଟର, ରିସୋର୍ଟ/ହୋଟେଲ, ବିବାହ ମଣ୍ଡପ ହେବ। ଏହି ଦ୍ବୀପକୁ ଯାତାୟତ ପାଇଁ ହୀରାକୁଦ ପାର୍ଶ୍ବରୁ ଏକ ରାସ୍ତା ନିର୍ମାଣ ହେବ। ଏହି ପ୍ରକଳ୍ପ ପାଇଁ ଏମ୍‌ସିଏଲ୍‌, ଓଏଚ୍‌ପିସିକୁ ଅନୁଦାନ ଦେବାକୁ ଅନୁରୋଧ କରାଯିବ। ଏହି ଦ୍ବୀପରେ ରହିବାକୁ ଥିବା ପର୍ଯ୍ୟଟକ ଯେପରି ହୀରାକୁଦ, ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ, ଘଣ୍ଟେଶ୍ବରୀ ମନ୍ଦିର, ହୁମା ମନ୍ଦିର, ସମ‌େଲଶ୍ବରୀ ମନ୍ଦିର ଯାଇପାରିବେ ସେ ବ୍ୟବସ୍ଥା କରାଯିବ। ଏହାବ୍ୟତୀତ ପାୱାର ଚ୍ୟାନେଲ୍‌ ଚାରି ପାର୍ଶ୍ବରେ ଥିବା ଅବ୍ୟବହୃତ ଅଞ୍ଚଳର ସୌନ୍ଦର୍ଯ୍ୟୀକରଣ କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯାଇ ପାରିବ। ଏ ନେଇ ତୁରନ୍ତ ପଦ‌େକ୍ଷପ ନେବାକୁ ପର୍ଯ୍ୟଟନ ବିଭାଗ, ଜଳ ସମ୍ପଦ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ, ସମ୍ବଲପୁର ଜିଲ୍ଲାପାଳଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର