ଭୁବନେଶ୍ବର : କୋଭିଡ୍ ପରବର୍ତ୍ତୀ ସମୟରେ ରାଜ୍ୟ ପର୍ଯ୍ୟଟନକୁ ଚଳଚଞ୍ଚଳ କରିବା ପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ବିଶେଷ କରି ପରିବେଶ ପର୍ଯ୍ୟଟନ ଉପରେ ଅଧିକ ଗୁରୁତ୍ବାରୋପ କରାଯାଉଛି। ରାଜ୍ୟର ପ୍ରମୁଖ ଜଳାଶୟ ଗୁଡ଼ିକରେ ବୋଟିଂ ସୁବିଧା ଦେବା ପାଇଁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଡ୍ୟାମ, ନଦୀ ଓ ମୁହାଣକୁ ସର୍ଭେ କରାଯାଇ ବୋଟିଂ ସୁବିଧା ପାଇଁ ୧୦୦ଟି ସ୍ଥାନ ବଛାଯିବ। ଡିସେମ୍ବର ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି।
ଶୁକ୍ରବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା କରାଯାଇଛି। ବୈଠକରେ ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବ ବୋଟିଂ ପାଇଁ ଥିବା ସମ୍ଭାବନା ସମ୍ପର୍କରେ ସୂଚନା ଦେଇଥିଲେ। ରାଜ୍ୟରେ ବୋଟିଂ ଓ ଜଳକ୍ରୀଡ଼ା ଉପରେ ଗୁରୁତ୍ବାରୋପ କରି ମୁଖ୍ୟ ଶାସନ ସଚିବ ବୋଟିଂ ସୁବିଧା ପାଇଁ ୧୦୦ଟି ସ୍ଥାନ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜଙ୍ଗଲ ଓ ପରିବେଶ, ଜଳସମ୍ପଦ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ମିଳିତ ଭାବେ ସର୍ଭେ କରାଯିବ। ଗୋଟିଏ ମାସ ଭିତରେ ଜାଗାର ତାଲିକା ପ୍ରସ୍ତୁତ ହେବ। ଆସନ୍ତା ଡିସେମ୍ବର ସୁଦ୍ଧା ଭାସମାନ ଜେଟି ପ୍ରସ୍ତୁତ କରି ବୋଟିଂ ସୁବିଧା ଆରମ୍ଭ କରିବାକୁ ଶ୍ରୀ ମହପାତ୍ର ନିର୍ଦ୍ଦେଶ ଦେଇଥିଲେ। ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏହି ବୋଟିଂ ଯେପରି ଲୋକପ୍ରିୟ ହୋଇପାରିବ ଓ ପର୍ଯ୍ୟଟକଙ୍କୁ ସୁଖଦ ଅନୁଭୂତି ଦେବ, ତାହା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ସ୍ଥାନୀୟ ଲୋକଙ୍କୁ ତାଲିମ ଦେଇ ଗୋଷ୍ଠୀ ପରିଚାଳନା ମାଧ୍ୟମରେ ବୋଟିଂ ସୁବିଧା ପରିଚାଳନା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ମତ ଦେଇଥିଲେ।
ବୈଠକରୁ ସୂଚନା ଦିଆଯାଇଥିଲା ଯେ ଓଡ଼ିଶାରେ ଛୋଟ ବଡ଼ ୧୧୮ଟି ଡ୍ୟାମ୍ ରହିଛି। ଏହା ବାଦ୍ ଚିଲିକା, ଅଂଶୁପା, କାଞ୍ଜିଆ ପରି ପ୍ରାକୃତିକ ହ୍ରଦ, ପ୍ରାୟ ୧୦ଟି ବଡ଼ ନଦୀ ଅବବାହିକା ଏବଂ କିଛି ମୁହାଣ ରହିଛି। ଏହା ମଧ୍ୟରୁ ବହୁ ସ୍ଥାନରେ ବୋଟିଂ ଓ ଜଳକ୍ରୀଡ଼ା ପାଇଁ ସୁଯୋଗ ରହିଛି। ବୈଠକରେ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବଙ୍କ ସହ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/plastic-boat.jpg)