ପର୍ଯ୍ୟଟକଙ୍କ ପାଇଁ ନୌକାବିହାର

ଘରୋଇ-ସରକାରୀ ସହଭାଗିତା ଭିତ୍ତିରେ କରାଯିବାକୁ ନିଷ୍ପତ୍ତି
ତିନିଟି ପର୍ଯ୍ୟଟନ ପରିପଥ ଚିହ୍ନଟ, ଖୁବ୍ ଶୀଘ୍ର ଡିପିଆର୍‌

ଭୁବନେଶ୍ୱର : କୋଭିଡ୍ ପ୍ରଭାବିତ ପର୍ଯ୍ୟଟନ ଶିଳ୍ପକୁ ପୁନଃ ଚଳଚଞ୍ଚଳ କରିବା ନିମନ୍ତେ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ରାଜ୍ୟରେ ନୌକା-ବିହାର ପର୍ଯ୍ୟଟନ ( ରିଭର କ୍ରୁଇସ୍ ) ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଆଜି ପର୍ଯ୍ୟଟନ ବିଭାଗକୁ ନିର୍ଦେଶ ଦେଇଛନ୍ତି। ପର୍ଯ୍ୟଟନ ବିଶେଷଜ୍ଞ ଏବଂ ଏହି ଶିଳ୍ପ ସହ ସଂପୃକ୍ତ ବିଭାଗ ଓ ସଂସ୍ଥାମାନଙ୍କ ସହ ମୁଖ୍ୟଶାସନ ସଚିବ ଆଜି ଆଲୋଚନା କରିଥିଲେ। ରାଜ୍ୟ ଲୋକସେବା ଭବନରୁ ଡଜିଟାଲ୍ ପ୍ରକ୍ରିୟାରେ ଅନୁଷ୍ଠିତ ଏହି ବୈଠକରେ ପର୍ଯ୍ୟଟନ ବିଭାଗ ଶାସନ ସଚିବ ବିଶାଳ କୁମାର ଦେବ ରାଜ୍ୟରେ ନୌକାବିହାର ପର୍ଯ୍ୟଟନ ସମ୍ବନ୍ଧିତ ବିଭିନ୍ନ ନୀତିଗତ ଓ ବୈଷୟିକ ଆବଶ୍ୟକତା ବିଷୟରେ ଆଲୋଚନା ନିମନ୍ତେ ତଥ୍ୟ ଉପସ୍ଥାପନ କରିଥିଲେ।

ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଥିଲେ ଯେ ରାଜ୍ୟର ନଦୀ ଓ ସମୁଦ୍ରରେ ନୌକା-ବିହାର ପର୍ଯ୍ୟଟନର ବ୍ୟାପକ ସୁଯୋଗ ଅଛି। ଏହି ପର୍ଯ୍ୟଟନର ବଜାର ଚାହିଦା ରହିଛି। ଏ ପ୍ରକାର ପର୍ଯ୍ୟଟନରେ କୋଭିଡ୍-୧୯ କଟକଣାର ଅନୁପାଳନ ମଧ୍ୟ ସହଜ। ନୌକା-ବିହାର ପର୍ଯ୍ୟଟନକୁ ରାଜ୍ୟର କେତେକ ପରିବେଶ ପର୍ଯ୍ୟଟନ (ଇକୋ ଟୁରିଜିମ୍) ସ୍ଥାନ ସହ ସଂଯୋଜିତ କରି ଏହାକୁ ଅଧିକ ଆକର୍ଷଣୀୟ କରିବାକୁ ମୁଖ୍ୟସଚିବ ନିର୍ଦ୍ଦେଶ ଦେଇଥିଲେ।

ଆଲୋଚନାରୁ ଜଣାପଡିଥିଲା ଯେ ଖୁବ୍ ଶୀଘ୍ର ରାଜ୍ୟରେ ୩ଟି ନୌକା-ବିହାର ପର୍ଯ୍ୟଟନ ପରିପଥ (ସର୍କିଟ୍) ଆରମ୍ଭ କରାଯାଇପାରିବ। ଏଗୁଡିକ ହେଲା ମହାନଦୀ, ଭିତରକନିକା, ଚିଲିକା ଏବଂ ଜାତୀୟ ଜଳପଥ-୫। ଭିତରକନିକା ସର୍କିଟ୍‌ରେ ଚାନ୍ଦବାଲି-ଆରଡି-ଧାମରା-ଖୋଳା ଏବଂ ଭିତରକନିକା ସ୍ଥିତ ଇକୋ-ସ୍ପଟ୍ ଗୁଡିକୁ ସଂଯୋଜିତ କରି ୫ ରାତ୍ରୀ ଏବଂ ୬ ଦିନିଆ ନୌକା-ବିହାର ପର୍ଯ୍ୟଟନ ଆୟୋଜନ କରାଯାଇ ପାରିବ। ସେହିପରି ଚିଲିକା ସର୍କିଟ୍‌ରେ ଚିଲିକା-କାଳିଜାଇ-ନଳବନ-ହନିମୁନ୍ ଦ୍ୱୀପ- ମଙ୍ଗଳାଯୋଡି- ସାତପଡା- ରାଜହଂସ ଦ୍ୱୀପ- ପୁରୀକୁ ସଂଯୋଜିତ କରି ୩ ରାତ୍ରୀ ଏବଂ ୪ ଦିନିଆ ନୌକା-ବିହାର ପର୍ଯ୍ୟଟନ ଆୟୋଜନ ହୋଇ ପାରିବ।

ନୌକା-ବିହାର ପର୍ଯ୍ୟଟନ ସମ୍ୱନ୍ଧିତ ନିୟାମକ, ଆଇନଗତ ଅନୁମତି, ପ୍ରଦୂଷଣ ନିୟମର ଅନୁପାଳନ, ନଦୀ ଓ ସମୁଦ୍ର କୂଳରେ ଜେଟ୍ଟିର ବ୍ୟବହାର ଆଦି ବିଷୟରେ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା। ମୁଖ୍ୟ ଶାସନ ସଚିବ କହିଥିଲେ ଏ ପ୍ରକାର ପର୍ଯ୍ୟଟନ ନିମନ୍ତେ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ। ଘରୋଇ-ସରକାରୀ ସହଭାଗିତା (ପି.ପି.ପି.) ଭିତ୍ତିରେ ଏହି ପ୍ରକଳ୍ପ ଆରମ୍ଭ କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା।

ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମଙ୍କ ସହ ସମନ୍ୱିତ ଭାବେ ବିସ୍ତୃତ ପ୍ରକଳ୍ପ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ରାଜ୍ୟ ପି.ପି.ପି. ସେଲ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଇନଲ୍ୟାଣ୍ଡ ଜଳପଥ କର୍ତ୍ତୃପକ୍ଷଙ୍କ ସହ ଆଇନଗତ ଆବଶ୍ୟକତା ବିଷୟରେ ଯୋଗାଯୋଗ କରିବାକୁ ମଧ୍ୟ ଶ୍ରୀ ତ୍ରିପାଠୀ ପର୍ଯ୍ୟଟନ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼. ନା ଶର୍ମା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ଜଳ ସଂପଦ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ପର୍ଯ୍ୟଟନ ସଚିବ ବିଶାଳ କୁମାର ଦେବ, ନିର୍ଦ୍ଦେଶକ ସଚ୍ଚିନ୍ ରାମଚନ୍ଦ୍ର ଯାଦବଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର