ରାଜଧାନୀରେ ବିକ୍ଷୋଭ, ଘେରାଉ, ସମାବେଶ ହେବା ଏକ ନିୟମିତ ବ୍ୟାପାର। ବହୁ ବଡ଼ ବଡ଼ ପ୍ରସଙ୍ଗରେ ସରକାରଙ୍କୁ ଭିନ୍ନ ଭିନ୍ନ ଢଙ୍ଗରେ ଆକ୍ରମଣ କରନ୍ତି ‌ବିରୋଧୀ। ତେବେ ଭୁବନେଶ୍ବରର ସ୍ଥାନୀୟ ସମସ୍ୟା ନେଇ ବିରୋଧୀ ଦଳଙ୍କର ବିରୋଧ ତରିକା ବେଶ୍‌ ଚର୍ଚ୍ଚାରେ ରହୁଛି। ବର୍ଷା ଦିନେ ଭୁବନେଶ୍ବରରେ କୃତ୍ରିମ ବନ୍ୟାକୁ ନେଇ କଂଗ୍ରେସର ଆନ୍ଦୋଳନ ଦୁଇ ବର୍ଷ ତଳେ ଆଲୋଚନାର ପ୍ରସଙ୍ଗ ହୋଇଥିଲା। ରାସ୍ତାରେ ଡଙ୍ଗା ପକାଇ ପ୍ରତିବାଦ ଜଣାଇଥିଲେ କଂଗ୍ରେସ କର୍ମୀ। ଏଇ ନିକଟରେ ବିଜେପି କର୍ମୀଙ୍କ ଦୁଇଟି ଆନ୍ଦୋଳନ ବେଶ୍‌ ରୋଚକ ଢଙ୍ଗରେ ଆୟୋଜନ କରାଯାଇଥିଲା।

Advertisment

publive-image

ମନଇଚ୍ଛା ବିଦ୍ୟୁତ କାଟ୍‌ ପ୍ରତିବାଦରେ ବିଜେପି କର୍ମୀମାନେ ଲଣ୍ଠନ ଧରି ରାସ୍ତାରେ ଚାଲିଥିଲେ। ନିକଟରେ ଡେଙ୍ଗୁ ମୁକାବିଲାରେ ବିଏମ୍‌ସିର ବିଫଳତାକୁ ପ୍ରତିବାଦ କରିବାକୁ ଯାଇ ଭୁବନେଶ୍ବର ଜିଲ୍ଲା ବିଜେପି ସଂଗଠନ ପକ୍ଷରୁ ବିଏମ୍‌ସି ଅଫିସ୍‌ ଆଗରେ ମଶାରି ଟଙ୍ଗାଯାଇଥି‌ଲା। ଆନ୍ଦୋଳନକାରୀମାନେ ଧୂଆଁ ବି ଦେଇଥିଲେ। ଏହା ବେଶ୍‌ କୌତୁହଳ ସୃଷ୍ଟି କରିଥିଲା। ସେହିପରି ପରିବା ଦର ବୃଦ୍ଧି ପ୍ରତିବାଦରେ ଯୁବ କଂଗ୍ରେସ କର୍ମୀମାନେ କୃଷି ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ କମ୍‌ ଦାମରେ ପରିବା ବିକି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଲୋକମାନେ ମଧ୍ୟ ପରିବା କିଣୁଥିବାର ଦେଖାଯାଇଥିଲା।

-ଅମିତାଭ