କଟକ: କାର୍ଯ୍ୟକାଳ ସରିବାର ୧୦ ମାସ ପୂର୍ବରୁ ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ସଭାପତି ପ୍ରଣବ ପ୍ରକାଶ ଦାସ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରବିବାର ଅପରାହ୍‌ଣରେ ଓସିଏ ସମ୍ମିଳନୀ କକ୍ଷରେ ଆୟୋଜିତ ଓସିଏ ବାର୍ଷିକ ସାଧାରଣ ପରିଷଦ ବୈଠକ (ଏଜିଏମ୍‌)ରେ ସଭାପତି ଶ୍ରୀ ଦାସ ଅନୁପସ୍ଥିତ ରହି ତାଙ୍କ ଇସ୍ତଫାପତ୍ରକୁ ସାଧାରଣ ପରିଷଦ ବୈଠକକୁ ପଠାଇଥିଲେ। ବ୍ୟକ୍ତିଗତ କାରଣରୁ ସେ ସଭାପତି ପଦ ଛାଡ଼ିଥିବା ଇସ୍ତଫାପତ୍ରରେ ଦର୍ଶାଇଛନ୍ତି। ତାଙ୍କ ଇସ୍ତଫାପତ୍ରକୁ ସାଧାରଣ ବୈଠକ ଗ୍ରହଣ କରିବା ପରେ ଉପସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କୁ ଓସିଏ କାମଚଳା ସଭାପତି ଭାବେ ଅବସ୍ଥାପିତ କରାଯାଇଛି। କିନ୍ତୁ ଓସିଏ ନିର୍ବାଚନ ଆଉ ପାଖାପାଖି ୧୦ ମାସ ରହିଛି। ଏହା ବ୍ୟତୀତ ଆସନ୍ତା ଫେବ୍ରୁଆରି ମାସରେ ବାରବାଟୀରେ ଏକଦିବସୀୟ ମ୍ୟାଚ୍ ରହିଛି। ଏହାପରେ ନୂଆ ସଭାପତି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି। ରଣଜୀ ଖେଳାଳି ତଥା ପୂର୍ବତନ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ପରବର୍ତ୍ତୀ ସଭାପତି ଦୌଡ଼ରେ ଆଗରେ ରହିଛନ୍ତି। ଏଭଳି ସମୟରେ ସଭାପତିଙ୍କ ଇସ୍ତଫାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ସରକାର ବଦଳିଯିବା କାରଣରୁ ସଭାପତି ଶ୍ରୀ ଦାସ ଇସ୍ତଫା ଦେଇଥିବା ଆଲୋଚନା ହେଉଛି। କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଯେ, ସଭାପତି ନିର୍ବାଚିତ ହେବା ପରଠୁ ଶ୍ରୀ ଦାସ ଗୋଟିଏ ଦିନ କିମ୍ବା କୌଣସି ଗୋଟିଏ ବୈଠକରେ ଉପସ୍ଥିତ ହୋଇ ନଥିଲେ। 

Advertisment

ଘରୁ ଇସ୍ତଫା ପଠାଇଲେ
ବାରବାଟୀ ଦିନିକିଆ ପରେ ସଭାପତି ନିର୍ବାଚନ
ଡିସେମ୍ବର ୩୧ ସମ୍ବର୍ଦ୍ଧନା ସମା‌ରୋହ ସ୍ଥଗିତ

ରବିବାର ଉପସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କ ପୌ‌ରୋହିତ୍ୟରେ ଓସିଏ ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଓସିଏ ସହ ଅନୁବନ୍ଧିତ ସମସ୍ତ କ୍ଲବ୍, ଜିଲ୍ଲା କ୍ରୀଡ଼ା ସଂଘ, ଅନୁବନ୍ଧିତ ସ୍କୁଲ୍‌, କଲେଜର ସଦସ୍ୟମାନେ ଉପସ୍ଥିତ ଥିଲେ। ବୈଠକରେ ସଭାପତି ପ୍ରଣବ ପ୍ରକାଶ ଦାସଙ୍କ ଇସ୍ତଫା ଏବଂ ଆସନ୍ତା  ୩୧ତାରିଖରେ ଓସିଏ କ୍ଲବ୍‌ରେ ହେବାକୁ ଥିବା ଓସିଏ ସମ୍ବର୍ଦ୍ଧନା ସମାରୋହ ଓ ଜିରୋ ନାଇଟ୍ ସେଲିବ୍ରେସନକୁ ନେଇ ଆଲୋଚନା ‌ହୋଇଥିଲା। ସଭାପତି ଶ୍ରୀ ଦାସ ବ୍ୟକ୍ତିଗତ କାରଣରୁ ଓସିଏ ପାଇଁ ସମୟ ଦେଇପାରୁ ନଥିବାରୁ ଇସ୍ତଫା ଦେଇଛନ୍ତି ଓ ତାହା ବୈଠକରେ ଗ୍ରହଣ କରାଯାଇଛି‌ ବୋଲି ଓସିଏ ସଂପାଦକ ସଞ୍ଜୟ ବେହେରା ସୂଚନା ଦେଇଥିଲେ। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ମନ ମୋହନ ସିଂହଙ୍କ ପାଇଁ ରାଷ୍ଟ୍ରୀୟ ଶୋକ ପାଳନ ‌ହେଉଥିବାରୁ ଡିସେମ୍ବର ୩୧ ତ‌ାରିଖର ବାର୍ଷିକ ସମ୍ବର୍ଦ୍ଧନା ସମାରୋହକୁ ସ୍ଥଗିତ ରଖାଯାଇଛି। ଜାନୁଆରି ୪ କିମ୍ବା ୫ ତାରିଖରେ ଏହା ପାଳନ କରାଯିବା ସହ ଡକ୍ଟର ହରେକୃଷ୍ଣ ମହତାବଙ୍କୁ ମ‌‌ରଣୋତ୍ତର ଭାବେ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯିବ ବୋଲି ସଂପାଦକ ଶ୍ରୀ ବେହେରା ସୂଚନା ଦେଇଛନ୍ତି। ଶ୍ରୀ ବେହେରା କହିଥିଲେ, ୨୦୨୪ରେ ଓସିଏ ଧାର୍ଯ୍ୟ କରିଥିବା ଲକ୍ଷ୍ୟ ପୂରଣ ହୋଇଛି। ଓସିଏ ପକ୍ଷରୁ ରାଜ୍ୟର ୩୦ଟି ଜିଲ୍ଲାରେ କ୍ରିକେଟ୍ ପ୍ରଶିକ୍ଷଣ ବ୍ୟବସ୍ଥା କରାଯିବା ସହ ଅନ୍ତଃସ୍କୁଲ୍‌ ଓ ଅନ୍ତଃକଲେଜ କ୍ରିକେଟ୍ ପ୍ରତିଯୋଗିତା ଆୟୋଜନ କରାଯାଇ ସେଥିରୁ ୫୦ଜଣ ବାଳକ ଓ ୩୦ଜଣ ବାଳିକାଙ୍କୁ ଚୟନ କରାଯାଇଛି।

ସେମାନଙ୍କ ଓସିଏ କ୍ରିକେଟ୍ ଏକାଡେମିରେ ରଖାଯାଇ କ୍ରୀଡ଼ା ପ୍ରଶିକ୍ଷଣ ସହ ଶିକ୍ଷା ବ୍ୟବସ୍ଥା କରାଯିବ। ଏହା ବ୍ୟତୀତ ୩୦ଜଣ ପିଲାଙ୍କୁ ଚୟନ କରି ସେମାନଙ୍କ ଦୂରଦୃଷ୍ଟ ବୃଦ୍ଧି ପାଇଁ ବିଦେଶ ମାଟିରେ ଅଭ୍ୟାସ ମ୍ୟାଚ୍‌ ଖେଳିବା ସୁବିଧା କରାଯିବ। କଳାହାଣ୍ଡି କପ୍‌ ଫର୍ମାଟର ପରିବର୍ତ୍ତନ କରାଯିବା ସହ ପ୍ରତି ଜିଲ୍ଲା ପୃଷ୍ଠପୋଷକଙ୍କ ସହାୟତାରେ କ୍ରିକେଟ୍‌ର ବିକାଶ କରାଯିବ ବୋଲି ଶ୍ରୀ ବେହେରା ସୂଚନା ଦେଇଥିଲେ। ସେହିପରି ରାଜ୍ୟ କ୍ରୀଡ଼ାମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଆସନ୍ତା ଫେବ୍ରୁଆରି ଏକଦିବସୀୟ ଟିକେଟର ଦରକୁ ହାସ୍ର କରାଯାଇଛି। ଗ୍ୟାଲେରୀ ଟିକେଟ୍ ଦର ଶହେ ଟଙ୍କାରୁ ୩ଶହ ଟଙ୍କା ହ୍ରାସ ହୋଇଥିବା ବେଳେ ସ୍ପେଶାଲ ଏନ୍‌କ୍ଲୋଜର ଦର, ଏସି ଗ୍ୟାଲେରୀ ଦର ଏକ ହଜାର ଟଙ୍କା ହ୍ରାସ କରାଯାଇଥିବା ସଂପାଦକ ଶ୍ରୀ ବେହେରା ସୂଚନା ଦେଇଛନ୍ତି। ଏହି ବୈଠକରେ ଯୁଗ୍ମ ସଂପାଦକ ପ୍ରଭାତ କୁମାର ଭୋଳ, କୋ‌ଷାଧ୍ୟକ୍ଷ ବିକାଶ ପ୍ରଧାନ, ଆପେକ୍ସ କାଉନସିଲ୍ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ମୁଖ୍ୟ କାର୍ଯ୍ୟନିର୍ବାହୀ ସୁବ୍ରତ କୁମାର ବେହେରାଙ୍କ ସମେତ ଓସିଏ ଅନୁବନ୍ଧିତ ସମସ୍ତ ସଂଘର ସଦସ୍ୟମାନେ ଯୋଗଦେଇଥିଲେ।