ଧର୍ମେନ୍ଦ୍ରଙ୍କୁ ଟ୍ବିଟ୍‌ରେ ଜବାବ ଦେଲେ ବବି: ଦମ୍‌ ଅଛି ତ ପ୍ରମାଣ ଦିଅ

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ନୈତିକତାର ପାଠ ପଢ଼ାନ୍ତୁ

ଭୁବନେଶ୍ବର : ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଡ଼ା ସମାଲୋଚନା କଲା ପରେ ତାହାର ଜବାବ ଦେଇଛି ବିଜେଡି। ଦଳର ସାଧାରଣ ସମ୍ପାଦକ(ସଂଗଠନ) ପ୍ରଣବ ପ୍ରକାଶ ଦାସ ଟ୍ବିଟ୍‌ କରି ଶ୍ରୀ ପ୍ରଧାନଙ୍କୁ ଆହ୍ବାନ ଦେଇଛନ୍ତି, ଯଦି ଦମ୍ ଅଛି; ଆପଣ ଓ ଆପଣଙ୍କ ଦଳ ଆସି
ପୁଲିସ କିମ୍ବା କୋର୍ଟରେ ଠୋସ୍‌ ପ୍ରମାଣ ଦିଅନ୍ତୁ। ଇସ୍ତଫା ଛାଡ଼ନ୍ତୁ; ମୁଖ୍ୟମନ୍ତ୍ରୀ ବାନ୍ଧିକି ଜେଲ୍‌ରେ ଭର୍ତ୍ତି କରିଦେବେ।

ନୈତିକତାର ପ୍ରଶ୍ନର ଜବାବରେ ପ୍ରଣବ କହିଛନ୍ତି, ଟ୍ରେନ୍‌ ଦୁର୍ଘଟଣାରେ ପୂଜ୍ୟ ଶାସ୍ତ୍ରୀଜୀ ନୈତିକତା ଦୃଷ୍ଟିରୁ ସ୍ୱତଃପ୍ରବୃତ୍ତ ଭାବରେ ନିଜ ପଦରୁ ଇସ୍ତଫା ଦେଇଥିଲେ। ଆପଣଙ୍କ ସରକାର ଶାସନ କାଳରେ ଅନେକ ଟ୍ରେନ୍‌ ଦୁର୍ଘଟଣା ଘଟିଛି ଏବଂ ଅନେକ ନିରୀହ ଲୋକ ପ୍ରାଣ ହରେଇଛନ୍ତି। ଆପଣଙ୍କ ମନ୍ତ୍ରିମଣ୍ଡଳର କେତେ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି? କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଗାଡ଼ି ଚଢାଇ ୭ଜଣ ନିରୀହ ଚାଷୀ ଭାଇଙ୍କୁ ମାରି ଜେଲ୍‌ରେ ଅଛନ୍ତି। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ତାଙ୍କ ଉପରେ ମକଦ୍ଦମା ହେଲା। ଆପଣ ଆପଣଙ୍କ ମୂଲ୍ୟବାନ ସମୟରୁ କିଛି ସମୟ ବାହାର କରି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ନୈତିକତାର ପାଠ ପଢ଼ାଇଲେ ଭଲ ହୁଅନ୍ତା। ଆପଣଙ୍କ ସରକାର ଚାଷୀ ଆଇନ ପ୍ରତ୍ୟାହାର କରିଛନ୍ତି, କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଭାରତବର୍ଷର ଯେଉଁ ୭୫୦ ଜଣ ନିରୀହ ଚାଷୀ ପ୍ରାଣ ହରାଇଲେ, ତାର ନୈତିକ ଦାୟିତ୍ୱ କାହା ଉପରେ ?

କେନ୍ଦ୍ରମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇ ବିଜେଡି ସାଧାରଣ ସମ୍ପାଦକ କହିଛନ୍ତି, ଆପଣ ସ୍ବୀକାର କରିଛନ୍ତି ଯେ ଅତୀତରେ ଯେତେ ବଡ଼ ପ୍ରଭାବଶାଳୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି, ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏବେ ବି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ବୋଲି ସାରା ଓଡ଼ିଶାବାସୀ ଜାଣିଛନ୍ତି।

ସମ୍ବନ୍ଧିତ ଖବର