କୁମ୍ଭୀର ସହ ଲଢ଼ି ଜୀବନ ବଞ୍ଚାଇଲେ ବବି

ପଟ୍ଟାମୁଣ୍ଡାଇ : କୁମ୍ଭୀର ସହ ସଂଘର୍ଷ କରି ନିଜ ଜୀବନ ବଞ୍ଚାଇ ପାରିଛନ୍ତି ପଟ୍ଟାମୁଣ୍ଡାଇ ଥାନା ନିମପୁର ଗ୍ରାମର ବବ୍ରୁବାହାନ ଭୂୟାଁ ଓରଫ ବବି। ଶନିବାର ଭୋର ସମୟରେ ବ୍ରାହ୍ମଣୀ ନଈ ପଠାକୁ ଶୌଚ ହେବାକୁ ଯାଇଥିବା ବେଳେ ଏଭଳି ଘଟଣା ଘଟିଛି। ବବିଙ୍କ ଏଭଳି ସାହସିତକାକୁ ନେଇ ଏବେ ସବୁଠି ଚର୍ଚ୍ଚା।

ସୂଚନା ଅନୁସାରେ, ଶନିବାର ଭୋର ସମୟରେ ବବି ବ୍ରାହ୍ମଣୀ ନଦୀ ପଠାକୁ ଶୌଚ ହେବାକୁ ଯାଇଥିଲେ। ଶୌଚ ହେବା ବେଳେ ପାଣି ଭିତରେ ଛପି ରହିଥିବା ଏକ ବିରାଟକାୟ କୁମ୍ଭୀର ତାଙ୍କ ଉପରକୁ ଝାମ୍ପ ମାରିଥିଲା। ବବିଙ୍କ ଜଂଘକୁ କାମୁଡି ଧରିଥିଲା। ବବି ଉପସ୍ଥିତ ବୁଦ୍ଧି ଖଟାଇ ହାତରେ ଧରିଥିବା ଟର୍ଚ୍ଚରେ କୁମ୍ଭୀରକୁ ଆକ୍ରମଣ କରିଥିଲେ। ଗୋଟିଏ ହାତରେ ଟର୍ଚ୍ଚରେ ଆକ୍ରମଣ କରୁଥିବା‌ ବେଳେ ଅନ୍ୟ ହାତରେ କୁମ୍ଭୀର ମୁହଁକୁ ମୁଥ ମାରି ଚାଲିଥିଲେ। ପ୍ରାୟ ୧୫ ମିନିଟ୍‌ କାଳ କୁମ୍ଭୀର ସହ ବବିଙ୍କ ଏମିତି ସଂଘର୍ଷ ଜାରି ରହିଥିଲା। ‌ଶେଷକୁ କୁମ୍ଭୀରଟି ବବିଙ୍କୁ ଛାଡି ନଦୀ ଭିତରକୁ ଚାଲିଯାଇଥିଲା। କ୍ଷତାକ୍ତ ଅବସ୍ଥାରେ ବବି ଚିତ୍କାର କରିବାରୁ ନଦୀ କୂଳରେ ଘର କରି ରହୁଥିବା ବୈକୁଣ୍ଠ ଭୂୟ‌ାଁ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ବବିଙ୍କୁ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି କରାଯାଇଛି। କୁମ୍ଭୀର ଆକ୍ରମଣରେ ତାଙ୍କ ବାମ ଗୋଡ଼ ଓ ଜଂଘରେ ଗୁରୁତର ଆଘାତ ଲାଗିଛି। ବବି ନିମପୁର ବଜାରରେ ପରିବା ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଜିଲ୍ଲା ପ୍ରଶାସନ ଅଥବା ବନ ବିଭାଗ ପକ୍ଷରୁ ତାଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

ଉଲ୍ଲେଖଯୋଗ୍ୟ ଯେ କିଛି ମାସ ହେବ ବ୍ରାହ୍ମଣୀ ନଦୀର ନିମପୁର ଗାଁ ନିକଟରେ ୨ଟି ବଉଳା କୁମ୍ଭୀର ଉପଦ୍ରବ ଚଳାଇଛନ୍ତି। ୫ ମାସ ଭିତରେ ଶ୍ରୀରାମପୁର ପଞ୍ଚାୟତର ୨ ଜଣ କୁମ୍ଭୀର ଆକ୍ରମଣରେ ପ୍ରାଣ ହରାଇଛନ୍ତି। ପ୍ରତ୍ୟେକ ଦିନ ଗୃହପାଳିତ ପଶୁଙ୍କୁ କୁମ୍ଭୀର ଶିକାର କରୁଥିବା ଦେଖିବାକୁ ମିଳୁଛି। ଭୟରେ ଲୋକେ ନଦୀରେ ଗାଧୋଇବା ବନ୍ଦ କରି ଦେଇଥିବା ବେଳେ ବନବିଭାଗ ସବୁ ଜାଣି ଚୁପ ବସିଥିବା ଅଭିଯୋଗ ଉଠିଛି।

ସମ୍ବନ୍ଧିତ ଖବର