ପାଟଣାଗଡ଼ : ଗତ ସୋମବାରଠାରୁ ନିଖୋଜ ଥିବା ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ତମିଆଁ ଗାଁର ବିଘ୍ନରାଜ ପୁଟେଲ (୫୭ବର୍ଷ)ଙ୍କ ମୃତଦେହ ଗୁରୁବାର ମାଟିତଳୁ ଉଦ୍ଧାର କରାଯାଇଛି। ତାଙ୍କୁ ହତ୍ୟା କରାଯାଇ ପୋତି ଦିଆଯାଇଥିବା ସନ୍ଦେହ କରାଯାଉଛି।
ପ୍ରକାଶ ଯେ ତମିଆଁ ମାଳୀପଡ଼ାର ବିଘ୍ନରାଜ ଗତ ସୋମବାର ସକାଳେ ତାଙ୍କ ଚାଷଜମିକୁ ଯାଇଥିଲେ। ହେଲେ ରାତିରେ ଆଉ ସେ ଫେରି ନଥିଲେ। ମଙ୍ଗଳବାର ପରିବାର ଲୋକ ଲରମ୍ଭା ଥାନାରେ ତାଙ୍କ ନିଖୋଜ ଥିବା ସଂପର୍କରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା। ଗୁରୁବାର ନିକଟସ୍ଥ ଅଡ଼କ ନାଳାରେ ଏକ ମୃତଦେହ ପୋତା ଯାଇଥିବା ଏବଂ ହାତ ମାଟି ଉପରକୁ ଦିଶୁଥିବା ଦେଖି କିଛି ଲୋକ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପାଟଣାଗଡ଼ ପଠାଇଥିଲା। ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି।