କୋଏଲ୍‌ ନଦୀରୁ ୩ ନାବାଳକଙ୍କ ମୃତଦେହ ଉଦ୍ଧାର

ପାଣିରେ ବୁଡ଼ି ମୃତ୍ୟୁ ଆଶଙ୍କା, ପରିଚୟ ଖୋଜୁଛି ପୁଲିସ

ରାଉରକେଲା କୋଏଲ ନଦୀରୁ ଆଜି ୩ ନାବାଳକଙ୍କ ଶବ ଉଦ୍ଧାର ହୋଇଛି। ମୃତ ନାବାଳକମାନଙ୍କ ପରିଚୟ ମିଳିନାହିଁ। ସେମାନଙ୍କ ବୟସ ୧୨ରୁ ୧୫ ବର୍ଷ ମଧ୍ୟରେ ହେବ। ନଦୀରେ ଗାଧୋଇବାବେଳେ ସେମାନଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ତେବେ ଏହା ଏକ ଦୁର୍ଘଟଣା ନା ଅନ୍ୟ କାରଣରୁ ଘଟିଛି, ସେ ସମ୍ପର୍କରେ ଝିରପାଣି ପୁଲିସ ତଦନ୍ତ କରୁଛି।

ଅପରାହ୍ନ ପ୍ରାୟ ୩ଟାରେ ସେକ୍ଟର-୨୦ ବୈକୁଣ୍ଠଘାଟ ଭାଟାବସ୍ତି ନିକଟସ୍ଥ କୋଏଲ ନଦୀରେ ତିନି ନାବାଳକଙ୍କ ମୃତ ଶରୀର ଭାସୁଥିବା, କୂଳରେ ଚପଲ ଓ ପୋଷାକ ପଡ଼ିଥିବା ଦେଖି ସ୍ଥା‌ନୀୟ ବସ୍ତିବାସିନ୍ଦା ଏ ସଂକ୍ରାନ୍ତରେ ଝିରପାଣି ପୁଲିସ, ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ପୁଲିସ ଓ ଦମକଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ୩ ନାବାଳକଙ୍କ ଶବକୁ ନଦୀରୁ ଉଦ୍ଧାର କରିଥିଲେ। ପାରିପାର୍ଶ୍ବିକ ସ୍ଥିତିରୁ ଗାଧୋଉଥିବାବେଳେ ତିନି ଜଣ ବୁଡି ଯାଇଥିବା ପୁଲିସ ଅନୁମାନ କରୁଛି। ଶବ ଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପୁଲିସ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)କୁ ପଠାଇଛି। ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି। ତିନି ନାବାଳିକଙ୍କ ପରିଚୟ ମିଳିବା ପରେ କେଉଁ ପରିସ୍ଥିତିରେ ଏପରି ଅଘଟଣ ଘଟିଲା ଜଣାପଡ଼ିବ ବୋଲି ପୁଲିସ କହିଛି। ପାରିପାର୍ଶ୍ବିକ ସ୍ଥିତିରୁ ନାବାଳକମାନେ ସ୍ଥାନୀୟ ବାସିନ୍ଦା ବୋଲି ଅନୁମାନ କରାଯାଉଛି। କିନ୍ତୁ ଏହି ରିପୋର୍ଟ ଲେଖା ହେବାବେଳକୁ ବିଳମ୍ବିତ ରାତି ସୁଦ୍ଧା ସେମାନଙ୍କୁ କେହି ଖୋଜାଖୋଜି କରିନାହାନ୍ତି। ନାବାଳକମାନଙ୍କ ମୃତ୍ୟୁ ପଛରେ ଅନ୍ୟ କାରଣ ଥିବା ଆଶଙ୍କାକୁ ବି ଏଡ଼ାଇ ଦେଇ ହେବନାହିଁ।

ଉଲ୍ଲେଖଯୋଗ୍ୟ, ଗତ ୨୦୨୦ ଡିସେମ୍ବର ୨୦ରେ ଅନୁରୂପ ଘଟଣା ଘଟିଥିଲା। କୋଏଲନଦୀ ଜାମସେରା ଘାଟରେ ପିକ୍‌ନିକ୍‌ ଯାଇ ଗାଧୋଉଥିବାବେଳେ ବୁଡି ୪ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା। ଏହାର କିଛିଦିନ ପରେ ଟିମ୍ବରକଲୋନିର ଜଣେ ବିକି ଶର୍ମା (୧୭)ଙ୍କର ମୃତ୍ୟୁ ହୋଇଥିଲା। ସେପଟେ ନଦୀ ଘାଟରେ ବାରମ୍ବାର ଅଘଟଣ ଘଟୁଥିଲେ ହେଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ସତର୍କ ସୂଚନା ଲଗାଯାଉନାହିଁ।

ସମ୍ବନ୍ଧିତ ଖବର