ମହାନଦୀରୁ ୪ ମୃତଦେହ ଉଦ୍ଧାର ଘଟଣା : ଗୋଟିଏ ଜୁଇରେ ଜଳିଲା ମା’ ଓ ୩ ଶିଶୁଙ୍କ ଶବ

ଜଗତସିଂହପୁର/କୁଜଙ୍ଗ : ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ମହାନଦୀରୁ ଉଦ୍ଧାର ହୋଇଥିବା ମା’ ଓ ତିନି ପିଲାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ଚାରି ଜଣଙ୍କ ମୃତଦେହକୁ ସେମାନଙ୍କ ଗାଁ ଜଗନ୍ନାଥପୁରକୁ ଅଣାଯିବା ପରେ ଗାଁ ଶ୍ମଶାନରେ ଏକାଠି ଶବଦାହ କରାଯାଇଛି। ମାସକ ପୂର୍ବରୁ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବିଶ୍ୱମ୍ବର ସେଠୀଙ୍କର ପରିବାରରେ ଆଉ କେହି ନାହାନ୍ତି। ସେଥିପାଇଁ ତାଙ୍କର ଜଣେ ସମ୍ପର୍କୀୟ ଭାଇ ଏହି ଚାରି ଜଣଙ୍କୁ ମୁଖାଗ୍ନି ଦେଇଥିଲେ। ଗୋଟିଏ ଜୁଇରେ ମାମାନୀ ସେଠୀ ଓ ତାଙ୍କର ତିନି ପିଲାଙ୍କ ମୃତଦେହ ଜଳିବା ଦୃଶ୍ୟ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି କରିଥିଲା। ଅନ୍ୟପଟେ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ବର୍ତ୍ତମାନ ସୁଦ୍ଧା ପୁଲିସକୁ କୌଣସି ଠୋସ୍‌ ପ୍ରମାଣ ମିଳିନାହିଁ।

ଗତକାଲି କୁଜଙ୍ଗ ଥାନା ପୁଲିସ ମୃତ ମାମାନୀଙ୍କ ଭାଇ କାଳିଆ ଓ ବାପା ଅକ୍ଷୟଙ୍କୁ ଅଟକ ରଖି ଜେରା କରିଥିଲା। ଆଜି ସକାଳେ କାଳିଆଙ୍କୁ ପୁଲିସ ଛାଡ଼ି ଦେଇଥିବାବେଳେ ମାମାନୀଙ୍କ ବାପା ଅକ୍ଷୟଙ୍କୁ ଥାନାରେ ଅଟକ ରଖିଛି। ଯେହେତୁ ଅକ୍ଷୟ ଘଟଣା ଘଟିବା ପୂର୍ବ ଦିନ ମାମାନୀଙ୍କ ଘରକୁ ଜଳଖିଆ ନେଇ ଯାଇଥିଲେ, ପୁଲିସ ତାଙ୍କଠାରୁ ଅଧିକ ତଥ୍ୟ ହାସଲ କରିବାକୁ ଉଦ୍ୟମ କରୁଛି। ଏସ୍‌ଡିପିଓ ଶିବ ଚରଣ ମଲ୍ଲିକ ମୃତ ମାମାନୀଙ୍କ ଘରେ ପହଞ୍ଚି ଛାନଭିନ୍‌ କରିଛନ୍ତି। ଏହାସହ ବିଶ୍ୱମ୍ବରଙ୍କ ମୃତ୍ୟୁ ପରେ ମିଳିଥିବା ସହାୟତା ରାଶିକୁ ନେଇ ମଧ୍ୟ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ପ୍ରାୟ ୫ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ମିଳିଥିବା ବେଳେ ମାମାନୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ କେତେ ଟଙ୍କା ଉଠିଛି ଆଉ କେବେ ଉଠିଛି, ତାହାକୁ ନେଇ ପୁଲିସ ତଦନ୍ତ ଚଳାଇଛି।

ଜିଲ୍ଲା ଏସ୍‌ପି ଜୟପ୍ରକାଶ ଆର କହିବା ଅନୁଯାୟୀ ବର୍ତ୍ତମାନ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଉଛି। ଏମାନଙ୍କୁ ବାହାରେ ହତ୍ୟା କରାଯାଇ ମହାନଦୀରେ ଫୋପାଡ଼ି ଦିଆଯାଇଛି ନା ନଦୀରେ ବୁଡ଼ି ଏହି ଚାରି ଜଣ ପ୍ରାଣ ହରାଇଛନ୍ତି ତାହା ରିପୋର୍ଟରୁ ସ୍ପଷ୍ଟ ହେବ। ଖୁବଶୀଘ୍ର ସବୁ ଘଟଣା ସ୍ପଷ୍ଟ ହୋଇଯିବ ବୋଲି ଏସ୍‌ପି କହିଛନ୍ତି।

ସମ୍ବନ୍ଧିତ ଖବର