ଶାଳଚୁଆ : କରୋନା ଭୟରେ ଗାଁକୁ ଶବ ଛାଡ଼ିଲେନି ଗ୍ରାମବାସୀ। ରାସ୍ତାରେ ବାଉଁଶବାଡ଼ ବୁଜି ଜଗିରହି‌ଲେ। ଏହି କାରଣରୁ ଗୁରୁବାର ସକାଳେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଜଡ଼ିଦା ପଞ୍ଚାୟତ ବେହେରା ସାହି ଛକଠାରେ ପାଖାପାଖି ଏକ ଘଣ୍ଟା ଅଟକି ରହିଥିଲେ ମୃତକଙ୍କ ପରିବାର। ସରପ‌ଞ୍ଚ ଆସି ବୁଝାସୁଝା କରିବା ପରେ ଗ୍ରାମବାସୀ ଶବ ସତ୍କାର ପାଇଁ ଛାଡ଼ିଥିଲେ।

Advertisment

ମୃତକ ହେଉଛନ୍ତି ଚମ୍ପାପାଳ ଗ୍ରାମର ଦୟାନିଧି ପାତ୍ର (୬୩)। ଚମ୍ପାପାଳ ଗାଁଠାରୁ ୧୫ କିମି ଦୂର ଦେବାନବାହାଳିଠାରେ ତାଙ୍କର ଆଉ ଏକ ଘର ରହିଛି। ସେଠାରେ ସେ ଓ ତାଙ୍କ ପତ୍ନୀ ରହୁଥିବା ବେଳେ ପୈତୃକ ଚମ୍ପାପାଳ ବାସଭବନରେ ପୁଅବୋହୂ ରହୁଥିଲେ। ଗତକାଲି ରାତିରେ ମାଂସ ତରକାରୀ ଖାଇବା ପରେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଦୟାନିଧି। ଡାକ୍ତରଖାନା ନେବା ପୂର୍ବରୁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ତେବେ କରୋନାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ଦେବାନବାହାଳି ଗ୍ରାମବାସୀ ଦୟାନିଧିଙ୍କ ଶବ ପୋଡ଼ିବାକୁ ଦେଇନଥିଲେ। ସେପଟେ ପରିବାର ଲୋକେ ଆଜି ସକାଳେ ନିଜ ଭିଟାମାଟି ଚମ୍ପାପାଳକୁ ମୃତଦେହ ଆଣିବା ସମୟରେ ଗ୍ରାମବାସୀଙ୍କଠାରୁ ବିରୋଧାଭାସର ସମ୍ମୁଖୀନ ହୋଇଥିଲେ। ଏମିତିକି ଗାଁ ମୁଣ୍ଡରେ ବାଉଁଶ ବାନ୍ଧି ରାସ୍ତା ଅବରୋଧ କରିଥିଲେ ଚମ୍ପାପାଳ ଗ୍ରାମବାସୀ। ପ୍ରାୟ ୧ ଘଣ୍ଟା ଶବ ରାସ୍ତାରେ ପଡ଼ିରହିବା ପରେ ସ୍ଥାନୀୟ ସରପ‌ଞ୍ଚ ମିନତୀ ମଢ଼େଇ ଆସି ସବୁ ମୃତ୍ୟୁ କରୋନାଜନିତ ନୁହେଁ କହି ବୁଝାସୁଝା କରିବା ପରେ ଗ୍ରାମବାସୀ ଛାଡ଼ିଥିଲେ। ପରେ ଜେସିବି ଯୋଗେ ଗାତ ଖୋଳି ଶବ ସତ୍କାର କରିଥିଲେ ପରିବାର ଲୋକ।