ଶବ ସଂସ୍କାର କରିବାକୁ ଆସିଲେନି ସାହିଭାଇ, ୧୦ ଘଣ୍ଟା ବାରଣ୍ଡାରେ ପଡ଼ିଲା ଶବ

ଜଗମୋହନପୁର : ଦେଢ଼ବର୍ଷ ଧରି ରୋଗଶଯ୍ୟାରେ ପଡ଼ି ଛଟପଟ ହେବା ପରେ ବୁଧବାର ସକାଳେ ପ୍ରାଣ ହରାଇଥିଲେ ତେଲକୋଇ ବ୍ଲକ୍‌ ଜଗମୋହନ ପଞ୍ଚାୟତ କାକୁଡ଼ିଅମ୍ବା ଗ୍ରାମର ସନୁ ପଣ୍ଠେଇ (୭୦)। ମୃତ୍ୟୁ ପରେ ଶବ ସଂସ୍କାର କରିବାକୁ ଆସିଲେନି ସାହିଭାଇ। ଦୀର୍ଘ ୧୦ ଘଣ୍ଟା ଧରି ବାରଣ୍ଡାରେ ଶବ ପଡ଼ି ରହିବା ପରେ ସ୍ଥାନୀୟ ଅଞ୍ଚଳର ଦୁଇଜଣ ସ୍ବେଚ୍ଛାସେବୀ କିଛି ସମ୍ପର୍କୀୟଙ୍କୁ ଧରି ଶବଦାହ କରିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, କାକୁଡ଼ିଅମ୍ବା ଗ୍ରାମ ଟୁଙ୍ଗୁରୁସାହିରେ ଏକ ଝାଟିମାଟି କୁଡ଼ିଆ କରି ରହୁଥିଲେ ସନୁ ଓ ତାଙ୍କ ନାତି ଡାକ୍ତର (୧୮)। ବାତରୋଗ ଯୋଗୁଁ ୪ ବର୍ଷ ହେଲା ଠିକ୍‌ରେ ଚଲାବୁଲା କରିପାରୁ ନଥି‌ଲେ ସନୁ। ଦେଢ଼ବର୍ଷ ହେଲା ଶଯ୍ୟାଶାୟୀ ଥିଲେ। ନାତି ଡାକ୍ତର କାମଧନ୍ଦା କରି ଯାହା ଆଣୁଥିଲେ ସେଥିରେ ଉଭୟ ଚଳୁଥିଲେ। ଅଜାଙ୍କ ଚିକିତ୍ସା ପାଇଁ ତାଙ୍କ ପାଖରେ ଅର୍ଥ ନଥିଲା। ବୟସର ଅପରାହ୍‌ଣରେ ପହଞ୍ଚିଥିଲେ ମଧ୍ୟ ସନୁଙ୍କୁ ଭତ୍ତା ମିଳୁ ନଥିଲା। ସରକାରୀ ସହାୟତା କହିଲେ କେବଳ ଚାଉଳ ଗଣ୍ଡେ ମିଳୁଥିଲା। ବୁଧବାର ଭୋର ୫ଟାବେଳେ ସନୁ ସବୁଦିନ ପାଇଁ ଆଖିବୁଜି ଦେଇଥିଲେ। ଘର ବାରଣ୍ଡାରେ ତାଙ୍କ ଶବ ପାଖରେ ନାତି ଡାକ୍ତର ବସିଥି‌ବାବେଳେ ସାହିଭାଇଙ୍କ ଦେଖା ମିଳିନଥିଲା।

ଦୀର୍ଘ ୧୦ ଘଣ୍ଟା ଧରି ଶବ ପଡ଼ିବା ପରେ ଅପରାହ୍‌ଣ ୩ଟାବେଳେ ସ୍ବେଚ୍ଛାସେବୀ ଡମ୍ବରୁଧର ଖୁଣ୍ଟିଆ, ଅଜିତ କୁମାର ପଲେଇ ମୃତକଙ୍କ କିଛି ସମ୍ପର୍କୀୟଙ୍କୁ ଡାକି ଶବ ସତ୍କାର କରିଥିଲେ। ଅଜାଙ୍କ ମୃତ୍ୟୁ ପରେ ଡାକ୍ତର ସମ୍ପୂର୍ଣ୍ଣ ଏକା ହୋଇ ଯାଇଛନ୍ତି। ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି। ଏନେଇ ତେଲକୋଇ ବିଡିଓ ଦିଲୀପ କୁମାର ବାଡ଼ାଙ୍କୁ ଯୋଗାଯୋଗ କରିବାରୁ, ମୃତକଙ୍କ ପରିବାରକୁ ହରିଶଚନ୍ଦ୍ର ଯୋଜନାରେ ସହାୟତା ପ୍ରଦାନ କରାଯିବ। ଆବାସ ହିିତାଧିକାରୀ ତାଲିକାରେ ନାମ ଥିଲେ ତୁରନ୍ତ ଘର ଦିଆଯିବ। ନଚେତ ସରକାରୀ ଗାଇଡ୍‌ଲାଇନ୍‌ ଅନୁସାରେ ଆବେଦନ କଲେ ସହଯୋଗ କରାଯିବ ବୋଲି ବିଡିଓ କହିଛନ୍ତି।

ସମ୍ବନ୍ଧିତ ଖବର