ଘର କୂଅରୁ ମିଳିଲା ବ୍ୟବସାୟୀଙ୍କ ମୃତଦେହ

୩ ଦିନ ହେଲା ନିଖୋଜ୍ ଥିଲେ, ଶୋଇବା ଘରେ ରକ୍ତଛିଟା, ସନ୍ଦେହରେ ପତ୍ନୀ ଓ ସଂପର୍କୀୟ ଭାଇ

ବେତନଟୀ : ୩ ଦିନ ଧରି ରହସ୍ୟଜନକ ଭାବେ ନିଖୋଜ ଥିବା ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ରେଣୁଗାଁ ଗ୍ରାମର ଜଣେ ଯୁବ ବ୍ୟବସାୟୀଙ୍କ ଗଳିତ ମୃତଦେହ ଆଜି ସକାଳେ ତାଙ୍କ ନିଜ ଘର ବାଡ଼ି କୂଅରୁ ଉଦ୍ଧାର କରିଛି ପୁଲିସ। ମୃତକ ହେଲେ ସୁବାସ ଚନ୍ଦ୍ର ମହାନ୍ତଙ୍କ ପୁଅ ପଙ୍କଜ (୩୨)। ପ୍ରାଥମିକ ତଦନ୍ତରୁ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପୁଲିସ ଅନୁମାନ କରିଛି। ମୃତକଙ୍କ ପତ୍ନୀ ଓ ଜଣେ ସମ୍ପର୍କୀୟ ଭାଇଙ୍କ ସମେତ ପରିବାର ଲୋକଙ୍କୁ ପୁଲିସ ପଚରାଉଚରା କରୁଥିବା ‌ବେଳେ ଖୁବ୍‌ଶୀଘ୍ର ମୃତ୍ୟୁ ରହସ୍ୟ ପଦାକୁ ଆସିବ ବୋଲି କହିଛନ୍ତି ଏସ୍‌ଡିପିଓ ସୁଦର୍ଶନ ଦାଶ।

ସୂଚନାଯୋଗ୍ୟ, ଗତ ବୁଧବାର ଦିନ ପଙ୍କଜ ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ଜଣେ ସମ୍ପର୍କୀୟ ଭାଇଙ୍କ ସହ ଘରୁ ବାହାରି ଯାଇଥିଲେ। ସେହିଦିନରୁ ତାଙ୍କର ପତ୍ତା ମିଳୁନଥିଲା। ତେବେ ତାଙ୍କ ଘର ବାଡ଼ିପଟୁ ଉତ୍କଟ ପଚା ଗନ୍ଧ ଆସିବାରୁ ଆଜି ପଡ଼ିଶା ଘର ଲୋକେ ପଙ୍କଜଙ୍କ ଘର ଲୋକଙ୍କୁ ଏ ସଂକ୍ରାନ୍ତରେ ଜଣାଇଥିଲେ। କୂଅ ପାଖକୁ ଯାଇ ଦେଖିବା ବେଳକୁ ଭିତରେ ପଙ୍କଜଙ୍କ ମୃତଦେହ ଭାସୁଥିଲା। ଖବର ପାଇ ‌ଏସ୍‌ଡିପିଓ ସୁଦର୍ଶନ ଦାଶ, ବେତନଟୀ ଥାନା ଆଇଆଇସି ରେଣୁବାଳା ସାହୁ, ଏସ୍‌ଆଇ ବଳରାମ ମହାରଣା ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। କୂଅରୁ ପଙ୍କଜଙ୍କ ମୃତଦେହ ଉଦ୍ଧାର କରାଯିବା ପରେ ତାଙ୍କ ମୁଣ୍ତ ପଛପଟେ ଗଭୀର କ୍ଷତ ଥିବା ଓ ସେଥିରୁ ରକ୍ତ ବାହାରୁଥିବା ଦେଖାଯାଇଥିଲା। ପରେ ସାଇଣ୍ଟିଫିକ୍‌ ଟିମ୍‌ ପଙ୍କଜଙ୍କ ଶୋଇବା ଘରେ ଛାନ୍‌ଭିନ୍‌ କରିବା ବେଳେ ଚଟାଣରୁ ରକ୍ତଛିଟା ପଡ଼ିଥିବା ଓ ଉକ୍ତ ସ୍ଥାନଟିକୁ ଲିପାଯାଇଥିବା ପ୍ରମାଣ ପାଇଥିଲା। ପୁଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍‌ ଚଟାଣରୁ ରକ୍ତଛିଟାର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ନେଇଛି। ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି। ଏହି ଘଟଣାରେ ପଙ୍କଜଙ୍କ ପତ୍ନୀ, ତାଙ୍କର ଜଣେ ସମ୍ପର୍କୀୟ ଭାଇ ଓ ପରିବାର ଲୋକଙ୍କୁ ଥାନାକୁ ଆଣି ପୁଲିସ ଜେରା ଚଳାଇଛି।

ସମ୍ବନ୍ଧିତ ଖବର