ବିବାହିତା ମହିଳାଙ୍କ ଦରପୋଡ଼ା ଶବ ଉଦ୍ଧାର ଘଟଣା : ବାପାଙ୍କ ଅଭିଯୋଗ ପରେ ହତ୍ୟା ମାମଲା ରୁଜୁ କଲା ପୁଲିସ

ଧର୍ମଗଡ଼/ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା କେଗାଁ ଥାନା କନକପୁର ଗାଁର ଜଙ୍ଗଲ ନିକଟରୁ ବିବାହିତା ମହିଳା ପ୍ରିୟଙ୍କା ନାଏକଙ୍କ ଦରପୋଡ଼ା ଶବ ଉଦ୍ଧାର ଉଦ୍ଧାର କରାଯାଇଥିଲା। ଏନେଇ ଶନିବାର ମହିଳାଙ୍କ ବାପଘର ଲୋକେ ଅଭିଯୋଗ କରିବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଶୁକ୍ରବାର ଅପରାହ୍ଣରେ କନକପୁର ଗ୍ରାମର ଶ୍ୟାମସୁନ୍ଦର ନାଏକଙ୍କ ସ୍ତ୍ରୀ ପ୍ରିୟଙ୍କାଙ୍କ ଦରପୋଡ଼ା ଶବ ମିଳିଥିଲା। କେଉଁ ପରିସ୍ଥିରେ ଏହି ଘଟଣା ଘଟିଲା ତାହା ଅସ୍ପଷ୍ଟ ରହିଥିଲା। ପୁଲିସ ପ୍ରାଥମିକ ତଦନ୍ତରେ ପେଟ୍ରୋଲରେ ପୋଡ଼ିହୋଇ ମୃତ୍ୟୁ ଘଟିଥିବା ସନ୍ଦେହ କରିଥିଲା। ଅପରପକ୍ଷେ ପ୍ରିୟଙ୍କାଙ୍କ ବାପା ମଙ୍ଗନିଆ ରଣ ତାଙ୍କ ଝିଅକୁ ହତ୍ୟା କରଯାଇଥିବା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗ ଆଧାରରେ ଥାନା କେସ୍‌ ନଂ ୨୪/୨୧, ଆଇପିସିର ଧାରା ୪୯୮(ଏ), ୩୦୨, ୩୦୪(ବି), ୨୦୧ ଓ ୩୪ରେ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ଆଇଆଇସି ଡମୁ ପରଜା କହିଛନ୍ତି। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ କରିଥିବା ବେଳେ ଶନିବାର ଶବ ଜବତ କରାଯାଇ ଧର୍ମଗଡ଼ ଉପଖଣ୍ତ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ସୂଚନାଯୋଗ୍ୟ ପ୍ରିୟଙ୍କାଙ୍କ ନିଜ ଗାଁ ଧର୍ମଗଡ଼ ଥାନା ବିକ୍ରମଗୁଡ଼ାରେ ହୋଇଥିବା ବେଳେ ୬ ବର୍ଷ ତଳେ ସେ କନକପୁରର ଶ୍ୟାମସୁନ୍ଦରଙ୍କୁ ବିବାହ କରିଥିଲେ। ତାଙ୍କର ୫ ବର୍ଷର ଦୁଇଟି ଜାଆଁଳା ପୁଅ ଅଛନ୍ତି।

ସମ୍ବନ୍ଧିତ ଖବର