୧୩ ଦିନ ହେଲା ଶଢ଼ୁଛି ନାଇଜେରିଆ ବନ୍ଦୀଙ୍କ ମୃତଦେହ

ଭାଇଙ୍କ ଚିଠି ପରେ ବି ପୁରୀ ପ୍ରଶାସନ, ଜେଲ କର୍ତ୍ତୃପକ୍ଷ ନିରବ
ମୁଖ୍ୟ ସଚିବ, କାରାଗାର ଆଇଜି, ଜିଲ୍ଲାପାଳଙ୍କ ବିରୋଧରେ ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ

ପୁରୀ : ନାଇଜେରିଆର ଜଣେ ବିଚାରାଧୀନ କଏଦୀଙ୍କ ମୃତଦେହ ୧୩ ଦିନ ହେଲା କଟକ ବଡ଼ ମେଡିକାଲ୍‌(ଏସସିବି) ଶବଗୃହରେ ଶଢ଼ୁଛି। ନା ମୃତଦେହ ଫେରାଇବାର ବ୍ୟବସ୍ଥା କରାଯାଉଛି, ନା ମୃତକଙ୍କ ପରିବାର ଲୋକଙ୍କୁ ସହାୟତାର ହାତ ବଢ଼ାଯାଉଛି। ଯାହା କେବଳ ମାନବିକ ଅଧିକାରକୁ କ୍ଷୁଣ୍ଣ କରୁନି, ପ୍ରଶାସନିକ ଅବହେଳାକୁ ବି ପ୍ରତିପାଦିତ କରୁଛି। ଏଭଳି ସାଂଘାତିକ ଅଭିଯୋଗ ଆସିଛି ପୁରୀ କାରାଗାରା ଓ ପୁରୀ ଜିଲ୍ଲା ପ୍ରଶାସନ ବିରୋଧରେ। ଜଣେ ବିଦେଶୀ କଏଦୀଙ୍କ ପ୍ରତି ଏଭଳି ମନୋଭାବ ପୋଷଣ ସମାଲୋଚନାର ବିଷୟ ପାଲଟିଛି। ଜାତୀୟ ମାନବାଧିକାର କମିସନରେ ବି ଏ ସମ୍ପର୍କରେ ଅଭିଯୋଗ ହୋଇଛି। ଜାତୀୟ ମାନବାଧିକାର କମିସନ ବି ଏହି ଅଭିଯୋଗ(ପଞ୍ଜୀକରଣ ନମ୍ବର-୯୨୩୪/ଆଇଏନ/୨୦୨୨)କୁ ଗୁରୁତ୍ବର ସହ ନେଇଛନ୍ତି।

ମିଳିଥିବା ସୂଚନା ମୁତାବକ, ମୃତ କଏଦୀ ହେଲେ ନାଇଜେରିଆର ଅଗଷ୍ଟିନ୍‌ ଓଡିକ୍ପୋ। ୨୦୧୯ ଫେବ୍ରୁଆରି ୧୧ତାରିଖରେ ଏକ ସାଇବର ଅପରାଧ ମାମଲାରେ ପୁରୀ ପୁଲିସ ଅଗଷ୍ଟିନ୍‌ଙ୍କୁ ବିହାରର ପାଟନା ସହରରୁ ଗିରଫ କରିଥିଲା। ସେବେଠୁ ଅଗଷ୍ଟିନ୍‌ ବିଚାରାଧୀନ କଏଦୀ ଭାବେ ପୁରୀ ଜେଲ୍‌ରେ ଥିଲେ। ଗତ ମେ ମାସ ୯ ତାରିଖରେ ଚର୍ମରୋଗରେ ଆକ୍ରାନ୍ତ ହେବାପରେ ଅଗଷ୍ଟିନ୍‌ଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ୧୫ ଦିନ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ହେବା ପରେ ତାଙ୍କୁ କଟକ ବଡ଼ ମେଡିକାଲ(ଏସ୍‌ସିବି)କୁ ପଠାଇ ଦିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୨୬ ତାରିଖରେ ଅଗଷ୍ଟିନ୍‌ଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁ ଖବର ପାଇ ନୂଆଦିଲ୍ଲୀର ଏକ ଜରାଶ୍ରମରେ ରହୁଥିବା ଅଗଷ୍ଟିନ୍‌ଙ୍କ ଭାଇ କଟକରେ ପହଞ୍ଚିବା ସହ ଜେଲ କର୍ତ୍ତୃପକ୍ଷକୁ ଏକ ନିବେଦନପୂର୍ବକ ଚିଠି ଲେଖିଥିଲେ। ପାଖରେ ଟଙ୍କା ଅଭାବ ଓ ଆର୍ଥିକ ସ୍ଥିତି ଭଲ ନ ଥିବାରୁ ଜେଲ କର୍ତ୍ତୃପକ୍ଷଙ୍କୁ ମୃତଦେହ ଫେରାଇ ନେବାରେ ସହଯୋଗ କରିବାକୁ ନିବେଦନ କରିଥିଲେ। କାରାଗାର କର୍ତ୍ତୃପକ୍ଷ ଏହି ଚିଠି ଜିଲ୍ଲାପାଳଙ୍କୁ ପଠାଇଥିଲେ ବି ଆଜି ସୁଦ୍ଧା ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି।

ଏ ଉପରେ ଜାତୀୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଛନ୍ତି ମାନବାଧିକାର କର୍ମୀ ଅଖଣ୍ଡ। ଓଡ଼ିଶା ମୁଖ୍ୟ ସଚିବ, ସ୍ବାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ, କାରାଗାର ଆଇଜି, ପୁରୀ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଏସ୍‌ସିବି ଅଧୀକ୍ଷକଙ୍କୁ ନୋଟିସ ସହ ଏହାର ସବିଶେଷ ରିପୋର୍ଟ ୪ ସପ୍ତାହ ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେବାକୁ ଅଖଣ୍ଡ ନିବେଦନ କରିଛନ୍ତି। ଅନ୍ୟପଟେ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କାର କ୍ଷତିପୂରଣ ସହ ସଂପୃ୍କ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବି ସେ ଆବେଦନରେ ଦର୍ଶାଇଛନ୍ତି ।

ସମ୍ବନ୍ଧିତ ଖବର