ନିରାକାରପୁର : ଖୋର୍ଦ୍ଧା ରେଞ୍ଜ ଅଧିନସ୍ଥ ମଳିପଡ଼ା ବଡ଼ଯୋର ନିକଟରୁ ଏକ ଗର୍ଭବତୀ ହାତୀର ମୃତଦେହକୁ ଖୋର୍ଦ୍ଧା ବନବିଭାଗ ଉଦ୍ଧାର କରିଛି। ମୃତ ହାତୀର ଆନୁମାନିକ ବୟସ ୨୦ ହେବ।
ସୂଚନା ଅନୁସାରେ, ଘଟଣାସ୍ଥଳରୁ ସମସ୍ତ ତଦନ୍ତ ପରେ ମୃତହାତୀଟିକୁ କ୍ରେନ୍ ଯୋଗେ ବନବିଭାଗ କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ଓୟୁଏଟିର ଏକ ଡାକ୍ତରୀ ଦଳଙ୍କ ଦ୍ବାରା ଶବବ୍ୟବଚ୍ଛେଦ କରାଯାଇଥିଲା। ଶବବ୍ୟବଚ୍ଛେଦ ସମୟରେ ମୃତହାତୀ ପେଟରୁ ଏକ ମୃତହାତୀ ଛୁଆ ମଧ୍ୟ ଉଦ୍ଧାର ହୋଇଥିଲା। ହାତୀ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଶବବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ପ୍ରକୃତ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଖୋର୍ଦ୍ଧା ଏସିଏଫ୍ ଗୌରଗୋପାଳ ସି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ, ବିଦ୍ୟୁତ ତାର ଲାଗି ହାତୀଟିର ମୃତ୍ୟୁ ହୋଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିବାବେଳେ ଏସିଏଫ୍ ଏହାକୁ ଖଣ୍ତନ କରିଛନ୍ତି। ଏସିଏଫ୍ଙ୍କ କହିବା ଅନୁଯାୟୀ ହାତୀର ମୃତଦେହ ଜବତ ହୋଇଥିବା ସ୍ଥାନରେ ବିଦ୍ୟୁତ୍ ସର୍ଟ ହେଲାଭଳି କୌଣସି କାରଣ ନାହିଁ। ହାତୀଟି ରୋଗାକ୍ରାନ୍ତ ଯୋଗୁଁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।
ଉଲ୍ଲେଖଯୋଗ୍ୟ,ବନବିଭାଗର ଅପାରଗତା ଯୋଗୁଁ ଗତ ୬ବର୍ଷ ମଧ୍ୟରେ ଖୋର୍ଦ୍ଧା ଓ ଟାଙ୍ଗୀ ବନଖଣ୍ତ ଅଂଚଳରେ ବିଭିନ୍ନ କାରଣରୁ ୬ଟି ହାତୀର ମୃତ୍ୟୁ ଘଟିଛି। ୨୦୧୭ ବରୁଣେଇ ପାହାଡ଼, ସେହିବର୍ଷ ଖଜୁରିପଡ଼ା ଜଙ୍ଗଲରୁ ୨ଟି, ୨୦୧୯ରେ ମଲାଗୁଣୀ ନଦୀପଠାରୁ ଗୋଟିଏ ଓ ୨୦୨୦ ମାର୍ଚ୍ଚମାସରେ ମଲାଗୁଣୀ ନଦୀପଠା ଓ ଟାଙ୍ଗୀ ଅଂଚଳରୁ ମୋଟ ୬ଟି ହାତୀର ମୃତଦେହକୁ ବନବିଭାଗ ଜବତ କରିଥିବା ଜଣାଯାଇଛି।