୧୨ ଘଣ୍ଟା ଧରି ପଡ଼ିଥିବା ମହିଳାଙ୍କ ଶବ, ସତ୍କାର ପାଇଁ ଏ ଅଫିସ୍‌ରୁ ସେ ଅଫିସ୍‌ ଦୌଡ଼ିଲେ ଝିଅ

ସୁନ୍ଦରଗଡ଼ : ସେପଟେ ହସ୍ପିଟାଲରେ ପଡ଼ିଥିଲା ମା’ଙ୍କ ମୃତଦେହ। ଆଉ ମଲା ଦେହକୁ ଛାଡ଼ି ଏପଟେ କାନ୍ଦି କାନ୍ଦି ଏ ଅଫିସରୁ ସେ ଅଫିସ ଦୌଡ଼ୁଥିଲେ ଝିଅ। ଅଧିକାରୀମାନଙ୍କୁ ଭେଟି ମା’ଙ୍କ ଶବ ସତ୍କାର ପାଇଁ ନେହୁରା ହେଉଥିଲେ । କିନ୍ତୁ ତାଙ୍କ କାନ୍ଦ, ଅନୁନୟରେ କୌଣସି ଅଧିକାରୀଙ୍କ ଛାତି ତରଳୁ ନଥିଲା। ରାତି ୮ଟାରୁ ପଡ଼ିଥିବା ମା’ଙ୍କ ମଲା ଦେହ ଦିନ ୧୨ଟା ପରେ ବି ଉଠି ନଥିଲା। କରୋନା କଷଣର ଏହି ଛାତିଥରା ଦୃଶ୍ୟଟି ଦେଖିବାକୁ ମିଳିଥିଲା ସୁନ୍ଦରଗଡ଼ ଏନଟିପିସି କୋଭିଡ୍ ସ୍ବାସ୍ଥ୍ୟକେନ୍ଦ୍ରରେ।

ସୂଚନା ଅନୁସାରେ, ଗୁରୁବାର କନ୍ଦାବାହାଲର ସୁଲୋଚନା ଗଉଡ଼ ନାମ୍ନି ଜଣେ ମହିଳାଙ୍କୁ ଭର୍ତ୍ତି କରିଥିଲେ ତାଙ୍କ ଝିଅ ମନ୍ଦାକିନୀ। ଧଇଁସଇଁ ହେଉଥିବାରୁ ତାଙ୍କୁ ଅକ୍ସିଜେନ୍ ଲାଗିଥିଲା। କିନ୍ତୁ ରାତିରେ ଅକ୍ସିଜେନ ସିଲିଣ୍ଡର୍ରେ ଧୂଆଁ ବାହାରିବାରୁ ଡାକ୍ତର କାଢ଼ି ଦେଇଥିବା ଅଭିଯୋଗ କରିଛନ୍ତି ମନ୍ଦାକିନୀ। ଏହାପରେ ଆଉ ମା’ଙ୍କୁ ଅକ୍ସିଜେନ୍ ଲାଗି ନଥିଲା। ଧୀରେଧୀରେ ତାଙ୍କ ଅମ୍ଲଜାନ ସ୍ତର ଖସିବାରେ ଲାଗିଲା ଓ ରାତି ୮ଟାରେ ସେ ଆଖି ବୁଜି ଦେଇଥିଲେ। ଭାଙ୍ଗି ପଡ଼ିଲେ ମନ୍ଦାକିନୀ, ଏତେ ଶୀଘ୍ର ମା’ ଚାଲିଯିବେ ବୋଲି ସେ ଭାବି ନଥିଲେ। ତାଙ୍କ ବେଦନା କିନ୍ତୁ ଏତିକିରେ ସରି ନଥିଲା। ସକାଳୁ ସକାଳୁ ସେ ଶବ ସତ୍କାର ପାଇଁ ସ୍ବାସ୍ଥ୍ୟକେନ୍ଦ୍ର ପରିଚାଳନା ଟିମ୍ ମୁଖ୍ୟଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ସେ ଶୁଣି ନଥିଲେ। ଉପଜିଲ୍ଲାପାଳଙ୍କ ଆଦେଶ ହେଲେ ଯାହା କିଛି କରାଯିବ ବୋଲି ତାଙ୍କୁ କୁହାଗଲା।

ମା’ଙ୍କୁ ହରାଇଥିବା ଏକଲା ଝିଅ କାହାକୁ କହିବେ ସେ ଚିନ୍ତାରେ ଏଠି ସେଠି ଧାଇଁଲେ। ସମୟ ଆସି ଦିନ ୧୨ଟା ହୋଇ ଯାଇଥିଲା। କିନ୍ତୁ ମା’ଙ୍କ ଶବ ହସ୍ପିଟାଲରୁ ଉଠି ନଥିଲା। ଶେଷକୁ କାନ୍ଦି କାନ୍ଦି କୋଭିଡ୍ କେନ୍ଦ୍ରରୁ ପ୍ରାୟ ୪ କିଲୋମିଟର ଦୂର ଚାଲି ଚାଲି ଯାଇ ଉପଜିଲ୍ଲାପାଳଙ୍କୁ ଭେଟି ଅନୁନୟ ହୋଇଥିଲେ। ସେ ତାଙ୍କୁ ଆଶ୍ବାସନା ଦେବା ବଦଳରେ ‘ତମେ ଘରକୁ ପଳାଅ, ସମୟ ଆସିଲେ ହସ୍ପିଟାଲ କର୍ମଚାରୀ ତମ ମା’ଙ୍କ ଶବ ସତ୍କାର କରିଦେବେ’ କହି ଫେରାଇ ଦେଇଥିଲେ। ସେଇଠୁ ନିରାଶ ହୋଇ ମନ୍ଦାକିନୀ ଆସିଥିଲେ ସିଡିଏମଓଙ୍କ ପାଖକୁ। କିନ୍ତୁ ସିଡିଏମଓଙ୍କ ଦେଖା ମିଳି ନଥିଲା। ଏହା ପରେ ସଂଯୋଗକ୍ରମେ ବିଧାୟିକା କୁସୁମ ଟେଟେଙ୍କୁ ଭେଟି ତାଙ୍କ ସହାୟତା ଲୋଡ଼ିଥିଲେ। ଏହା ସତ୍ତ୍ବେ ସନ୍ଧ୍ୟାରେ ଶବ ସତ୍କାର ପାଇଁ ପଦକ୍ଷେପ ନିଆଯାଇଥିଲା। କରୋନା କାଳର ଏହି କରୁଣ ଚିତ୍ର ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର