ଡଙ୍ଗାରେ ଯାଇ ସ୍ଥାନୀୟ ଲୋକ ଟାପୁରେ ଲଗାଇଲେ
ଆଜି କରାଯିବ ବ୍ୟବଚ୍ଛେଦ, କଢ଼ାଯିବ ଦାନ୍ତ
ଘଟଣାସ୍ଥଳରେ ପିସିସିଏଫ୍‌ ଓ ବନବିଭାଗର ବରିଷ୍ଠ ଅଧିକାରୀ

Advertisment

କଟକ/ଜଗତପୁର : ଯେଉଁ ଦନ୍ତାହାତୀ ପାଇଁ ମହାନଦୀରେ ଦୁଇଜଣଙ୍କର ହେଲା ଜଳସମାଧି, ଶେଷରେ ସେହି ହାତୀର ମୃତଦେହ ମହାନଦୀର ଜଗତପୁରର ସାତବାଟିଆ ପଶ୍ଚିମକଚ୍ଛ ନଦୀଘାଟରେ ଲାଗିଛି। ସ୍ଥାନୀୟ ଲୋକ ଡଙ୍ଗାରେ ଯାଇ ହାତୀର ମୃତଦେହକୁ ଟାପୁରେ ଲଗାଇଥିଲେ। ବର୍ତ୍ତମାନ ତାକୁ ସେହି ସ୍ଥାନରେ ବାନ୍ଧି ରଖାଯାଇଛି। ରାତି ହୋଇଯିବାରୁ ହାତୀର ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇପାରିନାହିଁ। ଟାପୁରେ ଜଗି ରହିଛନ୍ତି ବନବିଭାଗ, ପୁଲିସ କର୍ମଚାରୀଙ୍କ ସହ ସ୍ଥାନୀୟ ବାସିନ୍ଦା। ଆଜି ମୃତଦେହ ଉଦ୍ଧାର ଓ ବ୍ୟବଚ୍ଛେଦ କରାଯାଇ ଦାନ୍ତକୁ କଢ଼ାଯିବ ଓ ହାତୀକୁ ପୋତାଯିବ ବୋ‌ଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପିସିସିଏଫ୍‌ ଓ ବନବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।

ଗତ ଶୁକ୍ରବାର, ୨୪ତାରିଖ ଦିନ ମହାନଦୀ ପାରି ହେଉଥିବାବେଳେ ମୁଣ୍ଡଳୀ ବ୍ରଜ୍ ତଳେ ୨୦ବର୍ଷର ଦନ୍ତାହାତୀ ଫସିଯାଇଥିଲା। ହାତୀକୁ ଉଦ୍ଧାର କରିବା ପାଇଁ ଓଡ୍ରାଫ୍‌ ଟିମ୍‌ ବୋଟରେ ଯାଇଥିବାବେଳେ ବୋଟ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉକ୍ତ ବୋଟ୍‌ରେ ଥିବା ଯୁବସାମ୍ବାଦିକ ଅରିନ୍ଦମ ଦାସ ଓ ଓଡ୍ରାଫ୍‌ ଟିମ୍‌ର ବୁଡ଼ାଳି ସୀତାରାମ ମୁର୍ମୁଙ୍କ ମୁତ୍ୟୁ ଘଟିଥିଲା। ଘଟଣାଦିନ ରାତିରେ ହିଁ ବନବିଭାଗ ଉଦ୍ଧାର ଅପରେସନ୍‌ ଜାରି ରଖିଥିଲା ଓ ହାତୀ ପାଣିରେ ଭାସିଯାଇ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା। କିନ୍ତୁ, ହାତୀର ମୃତଦେହ ମିଳି ନଥିବା କାରଣରୁ ବନବିଭାଗ ହାତୀର ମୃତ୍ୟୁ ନେଇ ସ୍ପଷ୍ଟ କରି ନ ଥିଲା।

publive-image

ଗତକାଲିଠାରୁ ହାତୀକୁ ଠାବ କରିବା ପାଇଁ ଧବଳେଶ୍ବର ଗଡ଼ାଠାରୁ ଆରମ୍ଭ କରି ବ୍ରଜବିହାରୀପୁର, ଯୋବ୍ରା, ଚୌଦ୍ବାର ପର୍ଯ୍ୟନ୍ତ ଡ୍ରୋନ୍‌ ଲଗାଇ ବନବିଭାଗ ଏନ୍‌ଡିଆରଏଫ୍‌ର ୩ଟି ଟିମ୍‌ ସହାୟତାରେ ସର୍ଚ୍ଚ ଅପରେସନ୍‌ ଜାରି ରଖିଥିଲା। ରବିବାର ସକାଳ ପ୍ରାୟ ୬ଟାରେ ଯୋବ୍ରା ଆନିକଟ ୨୪ ନମ୍ବର ଗେଟ୍‌ ନିକଟରେ ହାତୀର ଗୋଡ଼ ଉପରକୁ ଦେଖାଯାଇଥିଲା, କିନ୍ତୁ ପାଣି ଅଧିକ ଥିବା ଯୋଗୁଁ ହାତୀ ବୁଡିକି ରହିଥିଲା। ଗେଟ୍‌ରେ ମୃତ ହାତୀ ଲାଖି ରହିଥିବାରୁ ବନବିଭାଗର ଅନୁମତି ନିଆଯାଇ ଗେଟ୍‌ ଖୋ‌ଲାଯାଇଥିଲା ଓ ମୃତଦେହ ଜଗତପୁର ସାତବାଟିଆ ପଶ୍ଚିମକଚ୍ଛ ନଦୀଘାଟରେ ଲାଗିଥିଲା।

ଏହାଭିତରେ ବନବିଭାଗର ପିସିସିଏଫ୍‌ ଶଶି ପଲ୍‌, ଆରସିସିଏଫ୍‌ ମନୋଜ ମହାପାତ୍ର, ସିଟି ଡିଭିଜନ୍‌ ଡିଏଫ୍‌ଓ ଯଶୋବନ୍ତ ବରିହାଙ୍କ ସମେତ ବରିଷ୍ଠ ବନବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ତେବେ, ରବିବାର ରାତି ହୋଇଯାଇଥିବାରୁ ହାତୀକୁ ପାଣିରୁ ଉଦ୍ଧାର କରାଯାଇ ପାରିନାହିଁ। ସେଠାରେ ଥିବା ଟାପୁରେ ବନବିଭାଗର ଉଦ୍ଧାରକାରୀ ଦଳ ଓ ପୁଲିସର ଯୁଗ୍ମ ସ୍କ୍ବାଡ୍‌ ମୃତହାତୀକୁ ଜଗିରହିଛନ୍ତି।

ତେବେ ମହାନଦୀର ମୁଣ୍ଡଳୀରେ ‘ଅପରେସନ ଗଜରାଜ୍‌’ ଅଘଟଣ ପାଇଁ ଦାୟୀ କିଏ? ଏହା ଏକ ଦୁର୍ଘଟଣା ନା ବେପରୱା ପଦକ୍ଷେପର ପରିଣାମ? ଏଭଳି ଅନେକ ପ୍ରଶ୍ନ ଉପରୁ ଏବେ ବି ପରଦା ହଟିପାରୁନି। ଏଭଳି ଦୁର୍ଭାଗ୍ୟଜନକ ଅଘଟଣ ପଛରେ ମୁଣ୍ଡଳୀ ପୋଲ ଉପରେ ଅନିୟନ୍ତ୍ରିତ ଭିଡ଼ ହଟାଇବାରେ ପୁଲିସର ବିଫଳତାକୁ ଦାୟୀ କରାଯାଉଥିବାବେଳେ ଅପରପକ୍ଷରେ କୌଣସି ଅଧିକାର ନଥାଇ ଏବଂ ବନବିଭାଗର ଅନୁମତି ନ ନେଇ ହାତୀ ମୁହଁକୁ ଯିବା ପାଇଁ ଓଡ୍ରାଫ୍ ଟିମ୍‌ କାହିଁକି ଓ କିପରି ନିଷ୍ପତ୍ତି ନେଲା ତଥା ଶେଷରେ ୧୫/୧୬ ଘଣ୍ଟା ବିଳମ୍ବରେ ବନବିଭାଗ ହାତୀକୁ ବାଟକୁ ଆଣିବା ପାଇଁ ନିଆଁହୁଳା ଅପରେସନ୍ କଲା, ତାକୁ ନେଇ ପ୍ରଶ୍ନ ଉଠୁଛି। ଏଭଳି ଅଘଟଣ ବ୍ୟବସ୍ଥାର ସମ୍ପୂର୍ଣ୍ଣ ବିଫଳତା ବୋଲି କୁହାଯାଉଛି। ଆଠଗଡ଼ ବନବିଭାଗ ଏହି ଘଟଣାରେ ନିରବତା ଅବଲମ୍ବନ କରୁଥିବାବେଳେ ବନବିଭାଗ ପକ୍ଷରୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ବି ଦିଆଯାଇ ନାହିଁ।