ଯଖପୁରା: କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଯାଖପୁରା ଥାନା ସମ୍ମୁଖରେ ଟାଟା ପ୍ଲାଣ୍ଟକୁ ଯାଇଥିବା ରେଳଧାରଣାରୁ ନ୍ୟୁ ଭିଷ୍ଟା ସିମେଣ୍ଟ କାରଖାନାର ଶ୍ରମିକ ସୁନୀଲ କୁମାର ଯାଦବ(୨୫)ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୁନୀଲଙ୍କର କେବଳ ବାମ ହାତ କଟିଯାଇଛି। ରାଜ କୁମାର ଯାଦବଙ୍କ ପୁଅ ସୁନୀଲଙ୍କ ବିହାର ରାଜ୍ୟରେ। ସେ କିଛିବର୍ଷ ଧରି ନ୍ୟୁ ଭିଷ୍ଟା ସିମେଣ୍ଟ କାରଖାନା (ଇମାମି)ରେ ଠିକାସଂସ୍ଥା ଅଧୀନରେ କାମ କରୁଥିଲେ। ଦୁର୍ଘଟଣାସ୍ଥଳକୁ ଦେଖିଲେ ବିଭିନ୍ନ ସନ୍ଦେହ ପ୍ରକାଶ ପାଇଛି।
ଦୁର୍ଘଟଣାସ୍ଥଳରେ ଥିବା କିଛି ଶ୍ରମିକ କହିଛନ୍ତି ସୁନୀଲଙ୍କ ଗତକାଲି ରାତି ଡ୍ୟୁଟି ଥିଲା। ଯଖପୁରା ଥାନାଧିକାରୀ ଜଗଦୀଶ କର କହିଛନ୍ତି ସୁନୀଲ ନିଶାସକ୍ତ ଅବସ୍ଥାରେ ଥିଲା। ମଦ ନିଶାରେ ସେ ଡ୍ୟୁଟି ଆସିନଥିବା କାରଖାନା ସୁପରଭାଇଜର ପୁଲିସକୁ କହିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ସୁନିଲ ଡ୍ୟୁଟି ଯାଇନଥିବା ବେଳେ ସେ ନିଶାସକ୍ତ ଥିଲା ବୋଲି ସୁପରଭାଇଜର କିପରି ଜାଣିଲେ? ସୁନିଲ ନିଶାସକ୍ତ ଥିଲା ବୋଲି ସୁପରଭାଇଜର କାରଖାନାରୁ ତାଙ୍କ ବାହାର କରିଦେଇଥିଲେ କି? ସୁନୀଲର ମୃତଦେହ କାରଖାନାଠାରୁ ଅଳ୍ପ ଦୂରରେ ଥିବା ରେଳଧାରଣାରୁ କିପରି ମିଳିଲା? କାରଖାନା ଦୁର୍ଘଟଣାକୁ ରେଳ ଦୁର୍ଘଟଣାର ଆଳ ଦେଖାଯାଉନାହିଁ ତ? ଏ ନେଇ ବିଧିବଦ୍ଧ ତଦନ୍ତ ହେବା ଆବଶ୍ୟକ ବୋଲି ଶ୍ରମିକମାନେ ନିଜର ପରିଚୟ ଗୋପନ ରଖି ଦାବି କରିଛନ୍ତି। ମୃତକଙ୍କ ନିକଟରୁ ଯଖପୁରା ପୁଲିସ ଏକ ମୋବାଇଲ ଜବତ କରିଛି। ସୁନୀଲ ମୃତ୍ୟୁର ଅନେକ ସମୟ ପରେ ମଧ୍ୟ ନିକଟରେ ଥିବା ଇମାମି ବା ନ୍ୟୁ ଭିଷ୍ଟା ସିମେଣ୍ଟ କାରଖାନାର କୌଣସି ଅଧିକାରୀ ଶବ ଚିହ୍ନଟ କରିବାକୁ ଆସିନଥିଲେ। ଯଖପୁରା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଦାନଗଦୀ ଡ଼ାକ୍ତରଖାନାକୁ ପଠାଇଥିଲେ। ପୁଲିସ ଏକ ଅପମୃତ୍ୟୁ ମାମଲା ୨/୨୩ ରୁଜୁ କରି ତଦନ୍ତ ଆରମ୍ଭ କରିଛି।