ନିଖୋଜ ବ୍ୟାଙ୍କ ଅଧିକାରୀଙ୍କ ଶବ ନଦୀରୁ ମିଳିଲା

ସୋନପୁର/ଲଛିପୁର : ଗତ ୧୦ ତାରିଖରୁ ନିଖୋଜ ଥିଲେ ବରଗଡ଼ ଜିଲ୍ଲା ବରପାଲି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଅଧିକାରୀ ଦିବ୍ୟରଞ୍ଜନ ମିଶ୍ର। ଶନିବାର ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ନିକଟ ଅଙ୍ଗନଦୀରୁ ଓଡ୍ରାଫ୍‌ ଟିମ୍‌ ତାଙ୍କ ଶବକୁ ଉଦ୍ଧାର କରିଛି। ଡୁଙ୍ଗୁରିପାଲି ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସୂଚନା ଅନୁସାରେ, ବଲାଙ୍ଗୀର ଶାନ୍ତିପଡ଼ାରେ ରହୁଥିବା ଦିବ୍ୟରଞ୍ଜନ ବରପାଲି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ସବୁ ଦିନ ଭଳି ଦିବ୍ୟରଞ୍ଜନ ବୁଧବାର ନିଜ କାମକୁ ଯାଇଥିଲେ। ସୋନପୁର ବିନିକା ଅଞ୍ଚଳକୁ ଫିଲ୍‌ଡ ଡ୍ୟୁଟିରେ ବୁଧବାର ଯାଇଥିଲେ। ସନ୍ଧ୍ୟା ୬ଟାରେ ପତ୍ନୀଙ୍କ ସହ ଫୋନ୍‌ରେ କଥାବାର୍ତ୍ତା କରିଥିଲେ ଏବଂ ସେ ଘରକୁ ଫେରୁଥିବା ସୂଚନା ଦେଇଥିଲେ। ହେଲେ ପରେ ସେ ଆଉ କାହାରି ଫୋନ୍‌ ଉଠାଇନଥିଲେ। ସନ୍ଧ୍ୟା ୭ଟା ୪୫ ମିନିଟରେ ତାଙ୍କ ମୋବାଇଲ ଫୋନ୍‌ ସୁଇଚ୍‌ଅଫ୍‌ ହୋଇଯାଇଥିଲା। ଏହା ପରେ ପରିବାର ଲୋକେ ଖୋଜାଖୋଜି କରି ଚେରୁପାଲି ଅଙ୍ଗନଦୀ ପୋଲ ନିକଟରୁ ତାଙ୍କ ବାଇକ୍‌ ଓ ହେଲମେଟ ଠାବ କରିଥିଲେ। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏହାପରେ ଓଡ୍ରାଫ୍‌ ଟିମ୍‌ ଏବଂ ଅଗ୍ନିଶମ ବାହିନୀ ଅଙ୍ଗନଦୀର ବିଭିନ୍ନ ଅଞ୍ଚଳରେ ଖୋଜାଖୋଜି କରିଥିଲେ। ଶନିବାର ଲଛିପୁର ନିକଟ ଅଙ୍ଗନଦୀରୁ ଦିବ୍ୟରଞ୍ଜନଙ୍କ ଶବ ଉଦ୍ଧାର କରାଯାଇଥିଲା। ସେ କେଉଁ କାରଣରୁ ଏପରି ପଦକ୍ଷେପ ନେଇଛନ୍ତି ତାହା ତଦନ୍ତସାପେକ୍ଷ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଶବ ବ୍ୟବଚ୍ଛେଦ ପାଇଁ ବିନିକା ପଠଯାଇଛି ବୋଲି ଲଛିପୁର ଫାଣ୍ଡି ଅଧିକାରୀ ବସନ୍ତ ରଥ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର