ବାମରା : ଗତ ବୁଧବାର ଦିନରୁ ନିଖୋଜ ଥିବା ଭିନ୍ନକ୍ଷମ ନାବାଳକ ରାହୁଲ କୁଟୁଆଁ (୧୫)ଙ୍କ ଶବ ଏକ କୂଅରୁ ଉଦ୍ଧାର କରାଯାଇଛି। ଏ ନେଇ ଗୋବିନ୍ଦପୁର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।
ବାମରା ସଦର ମହୁକୁମାର ଡୁମେରମୁଣ୍ଡା(ନୂଆଁପଡ଼ା) ଗ୍ରାମର କୃଷ୍ଣ କୁଟୁଆଁ ଓ ତାଙ୍କ ସ୍ତ୍ରୀ ଲୁରାବତି ଘରେ ନଥିବା ବେଳେ ବୁଧବାର ଅପରାହ୍ଣ ପ୍ରାୟ ୪ ଟାରେ ପୁଅ ରାହୁଲ ଏକୁଟିଆ ଖେଳୁଥିଲା। ଘରଲୋକେ ନିଜ କାମରୁ ଫେରିବା ପରେ ରାହୁଲ ଘରେ ନ ଥିବା ଦେଖି ଖୋଜାଖୋଜି କରିଥିଲେ। ଏ ନେଇ ସେଦିନ ରାତିରେ ଗୋବିନ୍ଦପୁର ଥାନାରେ ନିଖୋଜ ବିଷୟରେ ଲିଖିତ ଭାବେ ଜଣାଇଥିଲେ। ଶୁକ୍ରବାର ଘର ପାଖ ଏକ ବଡ଼ ଖୋଲା କୂଅରେ ରାହୁଲଙ୍କ ଶବ ଭାସୁଥିବା ଦେଖାଯାଇଥିଲା। ଏ ବିଷୟରେ ଖବର ପାଇବା ପରେ ଗୋବିନ୍ଦପୁର ଅଗ୍ନିଶମ ବିଭାଗ ପକ୍ଷରୁ କେନ୍ଦ୍ର ଅଧିକାରୀ ସାମୁଏଲ ବୁଡ଼ ଓ ଅନ୍ୟ କର୍ମଚାରୀ କୂଅ ଭିତରୁ ଶବ ଉଦ୍ଧାର କରିଥିଲେ। ଗୋବିନ୍ଦପୁର ପୁଲିସ କର୍ମଚାରୀମାାନେ ପହଞ୍ଚି ପ୍ରାଥମିକ ତଦନ୍ତ କରିଥିଲେ। ଶବ ବ୍ୟବଚ୍ଛେଦ ପାଇଁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଥିଲା। ରାତ୍ରିରେ ଶୋକକୁଳ ପରିବେଶରେ ଶବସତ୍କାର କରାଯାଇଥିଲା।