କୋମନା: କୋମନା ଥାନା ଜଡ଼ାମୁଣ୍ତା ଗାଁ ନିକଟ ଡ୍ୟାମ୍ ପାଣିରେ ବୁଡ଼ି ଦୁଇ ଦିନ ତଳେ ନିଖୋଜ ହୋଇଥିବା ଜଣେ ବ୍ୟକ୍ତିର ମୃତଦେହ ଉଦ୍ଧାର କରାଯାଇଛି। ସୂଚନାମତେ, ଇଛାପୁର ଗାଁର ଶ୍ୟାମ ସୁନ୍ଦର ମିର୍ଦ୍ଧା ସବୁଦିନ ଭଳି ମଇଁଷି ଚରାଇବାକୁ ଡ୍ୟାମ୍ ନିକଟକୁ ଯାଉଥିଲେ। ବୁଧବାର ମଇଁଷି ସହ ଡ୍ୟାମ୍ ପାଣି ଦେଇ ପାରି ହେଉଥିବା ବେଳେ ପାଣିରେ ବୁଡ଼ି ଯାଇଥିଲେ। ଏନେଇ ଶ୍ୟାମଙ୍କ ପୁଅ ବିକାଶ ତରବୋଡ଼ ଫାଣ୍ତିରେ ଅଭିଯୋଗ କରିବା ପରେ ପୁଲିସ୍ ଅଗ୍ନିଶମ ବିଭାଗ ସହ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।
ବହୁ ଖୋଜାଖୋଜି ପରେ ମଧ୍ୟ କିଛି ପତ୍ତା ମିଳିନଥିଲା। ଶୁକ୍ରବାର ପାଣିରେ ଏକ ମୃତଦେହ ଭାସୁଥିବା ଗାଁ ଲୋକେ ଦେଖି ତରବୋଡ଼ ପୁଲିସ୍କୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଗାଁ ଲୋକଙ୍କ ସହଯୋଗରେ ପାଣିରୁ ମୃତଦେହ ଉଦ୍ଧାର କରିଥିଲା। ଶବ ଚିହ୍ନଟ ପରେ ପୁଲିସ୍ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏଥିସହ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।