ଫିରିଙ୍ଗିଆ/ନୟାଗଡ଼/ନୂଆଗାଁ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ ତଳଦଣ୍ଡିକିଆ ପଞ୍ଚାୟତର କାରାଡ଼ା ଜଙ୍ଗଲରୁ ପୁଲିସ ଜଣେ ନାବାଳିକାଙ୍କ ଶବ ମାଟିତଳୁ ଉଦ୍ଧାର କରିଛି। ମୃତ ନାବାଳିକା ଜଣକ ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ସୋରଡ଼ା ଗ୍ରାମର ବିପ୍ରବର ନାଏକଙ୍କ ଝିଅ ତୁଳସୀ ନାଏକ (୧୭)। ଏସ୍‌ଡିପିଓ ସ୍ନେହାଶିଷ ସାହୁଙ୍କ ନେତୃତ୍ୱରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଧିକାରୀ ମୁକେଶ ବେହେରା ଓ ନୂଆଗାଁ ଥାନା ଅଧିକାରୀ ନାରାୟଣ ଚନ୍ଦ୍ର ଲେଙ୍କା ଫିରିଙ୍ଗିଆରେ ପହଞ୍ଚି ମାଟି ଖୋଳି ମୃତଦେହ ଉଦ୍ଧାର କରିଛନ୍ତି। ଏଥିରେ ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଓ ଏସ୍‌ଆଇ ଅଜୟ କୁମାର ସାହୁଙ୍କ ଉପସ୍ଥିତିରେ ଫୁଲବାଣୀ ସାଇଣ୍ଟଫିକ୍‌ ଟିମ୍‌ ସହାୟତା କରିଥିଲେ। ପଞ୍ଚନାମା ପରେ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

Advertisment

ପୁଲିସର ସୂଚନା ପ୍ରକାରେ, ମୃତା ନାବାଳିକା ତୁଳସୀଙ୍କୁ ବାପା ବିପ୍ରବର କୌଣସି କଥାକୁ କେନ୍ଦ୍ର କରି ମାଡ଼ ମାରିଥିଲେ। ଏଥିରେ ମାନସିକ ଆଘାତ ଓ ପ୍ରତିକ୍ରିୟାଶୀଳ ହୋଇ ନାବାଳିକା ଜଣକ ବିଷ ପିଇଦେଇଥିଲେ। ବିଷକ୍ରିୟା ‌ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା। ଝିଅର ମୃତ୍ୟୁ ପରେ ବିପ୍ର ବ୍ୟସ୍ତବିବ୍ରତ ହୋଇ ମୃତଦେହ ଲୁଚାଇବାକୁ ଚେଷ୍ଟା କରିଥିଲା। ପୂର୍ବରୁ ବିପ୍ର କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରେ ବ୍ୟବସାୟ କରିବାକୁ ଆସି ରହୁଥିବାରୁ ଶବ ହଜାଇବାକୁ ଏହା ପ୍ରକୃଷ୍ଟ ସ୍ଥାନ ଭାବି ଫିରିଙ୍ଗିଆ ତଳଦଣ୍ଡିକିଆ ପଞ୍ଚାୟତର ଜେକେ ଛକ ଠାରୁ ୨ କିଲୋମିଟର ଦୂର କାରାଡ଼ା ଜଙ୍ଗଲକୁ ରାତାରାତି ଆଣି ସେଠାରେ ଗାତ ଖୋଳି ପୋତି ଦେଇଥିଲା। ନୂଆଗାଁ ପୁଲିସ ଏନେଇ କୌଣସି ସୂତ୍ରରୁ ଖବର ପାଇବା ପ‌ରେ ନିଜ ପକ୍ଷରୁ ମାମଲା କରିଥିଲା। ପୁଲିସ କେସ୍‌ ନମ୍ବର ୧୮୬/୨୩ରେ ଏକ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ପରେ ନାବାଳିକାର ଶବ ଫିରିଙ୍ଗିଆ ଅଞ୍ଚଳରେ ପୋତା ଯାଇଥିବା ଧରାପଡ଼ିବା ପରେ ପୁଲିସ ଆଜି ଶବ ଜବତ କରିଛି। ଏହି ଘଟଣାରେ ଅଭିଯୁକ୍ତ ବାପା ବିପ୍ର ଫେରାର ହୋଇଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ନୂଆଗାଁ ଥାନା ଅଧିକାରୀ ଶ୍ରୀ ଲେଙ୍କା କହିଛନ୍ତି।

ଅନ୍ୟ ପକ୍ଷରେ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ନୟାଗଡ଼ ଜିଲ୍ଲା ପୁଲିସ ଠାରୁ ସୂଚନା ମିଳିଥିବା ବେଳେ ତଦନ୍ତରେ ବାଧା ଉପୁଜିବା କହି ପୁଲିସ ସବିଶେଷ ସୂଚନା ଦେଇନାହିଁ। ମୃତ ନାବାଳିକାଙ୍କ ପରିବାରର ୩ ଜଣଙ୍କୁ ଅଟକ ରଖାଯାଇଥିବା ନୟାଗଡ଼ ଏସ୍‌ଡିପିଓ ସ୍ନେହାଶିଷ ସାହୁ କହିଛନ୍ତି। ଗତକାଲି (ଶୁକ୍ରବାର) ସକାଳେ ତୁଳସୀଙ୍କ ମୃତ୍ୟୁ ହୋଇଥିବା ବେଳେ ପରିବାର ଲୋକ ଝିଅକୁ ମେଡିକାଲ ନେଇନଥିଲେ କିମ୍ବା ଥାନାକୁ ଜଣାଇନଥିଲେ। ଯାହା ପଛରେ ପରିବାରର ମନ୍ଦ ଉଦ୍ଦେଶ୍ୟ ଥିବା ସ୍ପଷ୍ଟ ହେଉଥିବା ବେଳେ ଶବକୁ ନେଇ ଫିରିଙ୍ଗିଆ ଅଞ୍ଚଳରେ ଏକ ଜଙ୍ଗଲ ମଧ୍ୟରେ ପୋତି ସବୁକିଛି ଲୁଚାଇ ଦେବାକୁ ପରିବାର ଲୋକ ଅପଚେଷ୍ଟା କରିଥିଲେ। ଏ ସମ୍ପର୍କରେ ପୁଲିସ ନିଜ ପକ୍ଷରୁ ମାମଲା କରିଥିବା ନୟାଗଡ଼ ଏସ୍‌ଡିପିଓ ଶ୍ରୀ ସାହୁ କହିଛନ୍ତି। ଘଟଣା ପଛରେ ପ୍ରେମବ୍ୟାପାର ଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।