ନକ୍ସଲ ହତ୍ୟା କରିଥିବା ସରପଞ୍ଚ ପୁଅ ପାଖରେ ଶୋଇଥିବା ପୀତାମ୍ବରଙ୍କ ଶବ ମିଳିଲା

ଲୋକେ ଆତଙ୍କିତ, ପୁଲିସ ଉପରୁ ଆସ୍ଥା ତୁଟୁଛି

ତୁମୁଡ଼ିବନ୍ଧ : ଆଉ ଜଣଙ୍କ ସନ୍ଦେହଜନକ ଭାବେ ଶବ ମିଳିବା ଘଟଣା ପରେ କନ୍ଧମାଳ ଜିଲ୍ଲା ବେଲଘର ଥାନା ଭଣ୍ଡରଙ୍ଗିରେ ମାଓ ଆତଙ୍କ ଖେଳିଯାଇଛି। ଶତାଧିକ ମାଓବାଦୀ ଏବେ ବେଲଘର ନିକଟ ଜଙ୍ଗଲରେ ଠୁଳ ହୋଇଥିବ‌ା ଶୁଣାଯାଉଛି। ଗାଁ ଲୋକ ମୁହଁ ଖୋଲୁନଥିବା ବ‌େଳେ ବାହାରକୁ କିମ୍ବା ଜଙ୍ଗଲକୁ ମଧ୍ୟ ଯାଉନାହାନ୍ତି। ଗତକାଲି ରାତିରେ ପୁଣି ଜଣକୁ ହତ୍ୟା କରିଥିବା ଶୁଣାଯାଉଛି। କିନ୍ତୁ ଏ ନେଇ କୌଣସି କେହି ସ୍ପଷ୍ଟ ସୂଚନା ଦେଉ ନଥିବା ବେଳେ ଗ୍ରାମବାସୀ ବି ଏ ନେଇ କିଛି ମୁହଁ ଖୋଲୁନାହାନ୍ତି। ଏ ସମ୍ପର୍କରେ ପୁଲିସ ବି କିଛି କହୁନଥିବା ବେଳେ ଜନୈକ ପୁଲିସ ଅଧିକାରୀଙ୍କ କହିବା ପ୍ରକାରେ ଗ୍ରାମରେ ପୀତାମ୍ବର ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। କିନ୍ତୁ କେଉଁ କାରଣରୁ ମୃତ୍ୟୁ ହେଇଛି ସେ ନେଇ ପୁଲିସ ନିକଟରେ କୌଣସି ଖବର ନଥିବା କହିଛନ୍ତି। ଏଭଳି ଘଟଣାରେ ପରିବାର କିମ୍ବା ଗ୍ରାମବାସୀ କାହାରିକୁ ନ ଜଣାଇ ଅନ୍ତିମ ସଂସ୍କାର କରିଦେବା ପରେ ଏନେଇ ସନ୍ଦେହ ସୃଷ୍ଟି ହୋଇଛି।

ସୂଚନା ମୁତାବକ ଗତ ଶୁକ୍ରବାର ବିଳମ୍ବିତ ରାତିରେ ମାଓବାଦୀଙ୍କ ଦ୍ବାରା ହତ୍ୟା ହୋଇଥିବା ସ୍ଥାନୀୟ ସରପଞ୍ଚଙ୍କ ପୁଅ ଭବାନୀ ଶଙ୍କର ପାତ୍ରଙ୍କ ସହ ପୀତାମ୍ବର ମିଶି ଭଣ୍ଡରଙ୍ଗି ପଞ୍ଚାୟତ କାର୍ଯ୍ୟଳୟ ନିକଟରେ ଏକ ଦୋକାନ ଗୃହ ମଧ୍ୟରେ ଶୋଇଥିଲେ। ଏହା ପରେ ମାଓବାଦୀ ପୀତାମ୍ବରଙ୍କୁ ଡାକିବା ସହ ସମ୍ବୁଖରେ ଭବାନୀକୁ ହତ୍ୟା କରିଥିଲେ। ଏବଂ ପୁଲିସକୁ ସୂଚନା ନଦେବା ପାଇଁ ପୀତାମ୍ବରଙ୍କୁ ତାଗିଦ କରିଥିଲେ। ପୁଲିସ ସୂଚନାଦାତାମାନେ ପ୍ରଜାକୋର୍ଟରେ ଆତ୍ମସମର୍ପଣ କରିବାକୁ ଚେତାବନୀ ଦେଇଥିଲେ। ସେହିଦିନ ଠାରୁ ପୀତାମ୍ବର ଭୟଭୀତ ହୋଇ ରହିଥିଲେ।

ତେବେ ପୁଲିସ ଘଟଣାସ୍ଥଳକୁ ନଯିବା ଓ କୌଣସି ପଦକ୍ଷେପ ନ ନେବା ଫଳରେ ଏବେ ଲଙ୍କାଗଡ଼, ଭଣ୍ଡରଙ୍ଗି ଓ ଝିରିପାଣି ସମେତ ତିନି ପଞ୍ଚାୟତରେ ମାଓବାଦୀ ସେମାନଙ୍କ ଶକ୍ତି ସଂଚୟ କରିବା ସହ ସମାନ୍ତରାଳ ଶାସନ ଆରମ୍ଭ କରି ଦେଇଛନ୍ତି। ଭୟରେ କୌଣସି ଅଧିକାରୀ ଏହି ଅଞ୍ଚଳକୁ ଯାଉନଥିବା ବେଳେ ଉନ୍ନୟନ କାର୍ଯ୍ୟ ମଧ୍ୟ ବନ୍ଦ ରହିଛି। ଭଣ୍ଡରଙ୍ଗି, ଗୋଛାଗୁଡ଼ା, ଗୁମୁ, ହାତୀମୁଣ୍ଡା, ଗୁରୁଲିସାହି ଗ୍ରାମରେ ମାଓବାଦୀ ମାନେ ସେମାନଙ୍କ ଆଡ଼ା ଜମାଇଥିବା ଶୁଣାଯାଉଛି। ଗାଁ ଗାଁ ରେ ବୈଠକ କରି ଗ୍ରାମବାସୀଙ୍କୁ ଧମକ ଚମକ ଦେଉଥିବା କୁହାଯାଉଛି। ମାଓ ମୁକାବିଲା ପାଇଁ ବେଲଘର ଠାରେ ଏକ ବାଟାଲିଅନ୍‌ ସିଆର୍‌ପିଏଫ୍‌ ରହିଥିବା ବେଳେ ମାଓବାଦୀଙ୍କ ଗତିବିଧି ବୃଦ୍ଧି ସମସ୍ତଙ୍କୁ ବିସ୍ମିତ କରିଛି। ତେବେ ପୁଲିସ ପକ୍ଷରୁ ସବୁ ସମୟରେ ଭୟଭୀତ ନହେବାକୁ ପରାମର୍ଶ ଦିଆଯାଉଛି। କିନ୍ତୁ ପୁଲିସ ଘଟଣାସ୍ଥଳକୁ ନଯିବା କାରଣରୁ ରାତିରେ ମାଓ ଭୟରେ ଗ୍ରାମବାସୀ ଶୋଇପାରୁ ନାହାନ୍ତି।

ସମ୍ବନ୍ଧିତ ଖବର