ସୁନ୍ଦରଗଡ଼: ମୁମ୍ୱାଇର କୁର୍ଲା ରେଳ ଷ୍ଟେସନରୁ ଏକ ବନ୍ଦ ଆଟାଚିରୁ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ବନ୍ଦଲିକାନି ଗାଁର ଯୁବତୀ ପ୍ରତିମା ପାୱଲ କିସପଟ୍ଟା (୨୫)ଙ୍କ ମୃତଦେହ ଉଦ୍ଧାର ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ ଜଣକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଅସ୍କର ମନୋଜ ବାର୍ଲା (୨୨)। ତାଙ୍କ ଘର ଏହି ଜିଲ୍ଲାର କିଞ୍ଜିରକେଲା ଥାନା ସାହେବଡେରା ଗାଁରେ। କରୋନା ସମୟରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଯୁବତୀ ଓ ଯୁବକଙ୍କ ଗାଁ ପାଖାପାଖି ହୋଇଥିବାରୁ ମୁମ୍ବାଇରେ ସେମାନଙ୍କ ମଧ୍ୟରେ ସମ୍ପର୍କ ସୃଷ୍ଟି ହୋଇଥିଲା। ଯାହା ପରବର୍ତ୍ତୀ ସମୟରେ ପ୍ରେମର ରୂପ ନେଇଥିଲା। ପ୍ରତିମା ଘର କାମରେ ନିୟୋଜିତ ଥିବାବେଳେ ମନୋଜ ଏକ ମିଠା ଦୋକାନରେ କାମ କରୁଥିଲେ। ଦୁହେଁ ଏକାଠି ମୁମ୍ବାଇର ଧାରାବୀ ଅଞ୍ଚଳରେ ଏକତ୍ର ରହୁଥିଲେ। ହେଲେ ମନୋଜ ତାଙ୍କୁ ଅନ୍ୟ ଯୁବକ ସହ ପ୍ରେମ ସମ୍ପର୍କ ରଖିଥିବା ସନ୍ଦେହରେ ହତ୍ୟା କରିଥିବା ପୁଲିସ ଆଗରେ ସ୍ବୀକାର କରିଛି।

Advertisment

୧୯ ତାରିଖ ସକାଳେ ସେହି କଥାକୁ ନେଇ ମନୋଜ ଓ ପ୍ରତିମାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ମନୋଜ ରାଗରେ ପ୍ରତିମାଙ୍କ ତଣ୍ଟିଚିପି ମାରିଦେଇଥିଲା। ଏହା ପରେ ଶବକୁ ଭଡ଼ାଘରୁ ଦୂର ସ୍ଥାନକୁ ନେଇ ଫିଙ୍ଗି ଦେବାକୁ ଯୋଜନା କରି ସେ ଏକ ନୂଆ ଆଟାଚି କିଣି ଆଣିଥିଲା। ସେଥିରେ ପ୍ରତିମାଙ୍କ ମୃତଦେହକୁ ଭର୍ତ୍ତି କରି ଅଟୋରେ ୧ଟା ଯାଏ ମୁମ୍ବାଇରେ ଘୂରି ବୁଲିଥିଲା। ପ୍ରଥମେ ସେ ଲୋକମାନ୍ୟ ତିଲକ ଟର୍ମିନାଲକୁ ଯାଇଥିଲା। କିନ୍ତୁ ସେଠ‌ାରେ ପୁଲିସର କଡ଼ା ଯାଞ୍ଚ ଚାଲିଥିବା ଦେଖି ଫେରି ଏଠିସେଠି ଫିଙ୍ଗିବାକୁ ଉଦ୍ୟମ କରି ବିଫଳ ହୋଇଥିଲା। ଶେଷକୁ କୁର୍ଲା ଷ୍ଟେସନକୁ ଯାଇଥିଲା। ସେଠାରେ ମେଟ୍ରୋ କାମ ଚାଲିଥିବା ଦେଖି ଆଟାଚିକୁ ସେଠାରେ ଚୁପକିନା ଛାଡ଼ି ଚାଲି ଆସିଥିଲା। ଶ୍ରମିକମାନଙ୍କ ନଜର ଆଟାଚି ଉପରେ ପଡ଼ିବା ପରେ ସେମାନେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚି ଆଟାଚି ଖୋଲିବା ପରେ ଯୁବତୀଙ୍କ ମୃତଦେହ ମିଳିଥିଲା। ମୃତ ଯୁବତୀଙ୍କ ସାଥୀମାନେ ତାଙ୍କୁ ଚିହ୍ନଟ କରିବା ସହ ପରିବାର ଲୋକଙ୍କୁ ଖବର କରିଥିଲେ। ଅନ୍ୟପଟେ ପୁଲିସ ସ୍ଥାନୀୟ ଲୋକଙ୍କ ସୂଚନା ଆଧାରରେ ତୁରନ୍ତ ଯୁବତୀଙ୍କ ସହ ରହୁଥିବା ମନୋଜକୁ ଖୋଜିଥିଲା। ଅପରାଧ ଘଟାଇବା ପରେ ସେ ଓଡ଼ିଶା ଚାଲି ଆସିବାକୁ ମୁମ୍ବାଇ ଥାନେ ଷ୍ଟେସନରେ ପହଞ୍ଚି ଯାଇଥିଲା। ତାକୁ ଟ୍ରାକ୍‌ କରି ପୁଲିସ ଥାନେ ଷ୍ଟେସନରୁ ଗିରଫ କରି କୋର୍ଟଚାଲାଣ କରିଥିଲା। ମୃତାଙ୍କ ପରିବାର ଲୋକ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରି ହସ୍ତାନ୍ତର କରାଯିବ ବୋଲି ମୁମ୍ବାଇ ପୁଲିସ କହିଛି। ଘଟଣାଟି ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।