ବ୍ୟାସନଗର : ଦୋଳପୂର୍ଣ୍ଣିମା ଦିନ ଖରସ୍ରୋତା ନଦୀରେ ବୁଡି ଯାଇଥିବା ଯୁବକଙ୍କ ଶବ ୩ ଦିନ ପରେ ଆଜି ମଧ୍ୟାହ୍ନରେ ଉଦ୍ଧାର ହୋଇଛି। ମୃତ ଯୁବକ ଉତ୍ତରପ୍ରଦେଶ ବୁନ୍ଦେଲ ସହର ଥାନା ଅନ୍ତର୍ଗତ ଦେବୀପୁର ଗ୍ରାମର ପ୍ରେମ କୁମାରଙ୍କ ପୁଅ ସଚିନ ଗୋସ୍ଵାମୀ (୨୪)। କଳିଙ୍ଗନଗର ଶିଳ୍ପାଞ୍ଚଳସ୍ଥିତ ଟାଟା କାରଖାନାରେ ସେ କାର୍ଯ୍ୟରତ ଥିଲେ। ଉମାପଦାରେ ଭଡ଼ାରେ ରହୁଥିଲେ।
ଗତ ୭ ତାରିଖ ମଙ୍ଗଳବାର ୩ ଜଣ ସାଙ୍ଗଙ୍କ ସହିତ ମଧ୍ୟାହ୍ନରେ ଗାଧୋଇବା ପାଇଁ ଯୋକଡ଼ିଆ ନିକଟ ଖରସ୍ରୋତା ନଦୀକୁ ଯାଇଥିଲେ। ଗାଧୋଇବା ସମୟରେ ସଚିନ ନିଖୋଜ ହୋଇଯାଇଥିଲେ। ସାଙ୍ଗମାନେ ତୁରନ୍ତ ଏ ସମ୍ପର୍କରେ ଯାଜପୁର ରୋଡ ଥାନାକୁ ଖବର ଦେବା ସହ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଖୋଜାଖୋଜି କରିଥିଲେ ମଧ୍ୟ ସଚିନଙ୍କ ସନ୍ଧାନ ପାଇନଥିଲେ। ଆଜି ଶବ ପାଣିରେ ଭାସୁଥିବା ଦେଖି ସ୍ଥାନୀୟ ଲୋକମାନେ ଥାନାକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ଏନେଇ ଥାନାରେ ୮/୨୩ ରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି ବୋଲି ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/dead-body.jpg)