ପ୍ରେମିକାଙ୍କ ଘରୁ ମିଳିଲା ପ୍ରେମିକର ଝୁଲନ୍ତା ମୃତଦେହ

ହତ୍ୟା ଅଭିଯୋଗରେ ପ୍ରେମିକାଙ୍କ ସହ ୪ ଅଟକ

ବ୍ରହ୍ମଗିରି : ପ୍ରେମିକାଙ୍କ ଘରର ଫ୍ୟାନ୍‌ରେ ପ୍ରେମିକଙ୍କ ଝୁଲନ୍ତା ମୃତଦେହ। ଏହାକୁ ନେଇ ସାହୁପଡ଼ା ଗ୍ରାମରେ ଲାଗିରହିଛି ଉତ୍ତେଜନା। ଏହି ଘଟଣାକୁ କେନ୍ଦ୍ର କରି ପ୍ରେମିକଙ୍କ ପରିବାର ଓ ସମ୍ପର୍କୀୟ ଯୁବତୀଙ୍କ ଘରଦ୍ବାର ଓ ଗାଡ଼ି ଭାଙ୍ଗି ଛିନ୍ନଛତ୍ର କରିଦେଇଛନ୍ତି। ରାତିତମାମ ଗାଁରେ ପ୍ରବଳ ଉତ୍ତେଜନା ଲାଗି ରହିଛି। ପ୍ରେମିକଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯିବା ପରେ ପୁଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ବ୍ରହ୍ମଗିରି ଥାନା ଆଇଆଇସି ମନୋଜ କୁମାର ଶତପଥୀଙ୍କଠାରୁ ପ୍ରକାଶ ଯେ ବ୍ରହ୍ମଗିରି ଥାନା ସାହୁପଡ଼ା ଗାଁର ରାଜକିଶୋର ବିଶ୍ବାଳଙ୍କ ପୁଅ ସୂର୍ଯ୍ୟକାନ୍ତ ବିଶ୍ବାଳ(୨୫) ସେହି ଗାଁର ଜଣେ ଯୁବତୀ(୨୨)ଙ୍କୁ ଦୁଇ ବର୍ଷ ହେଲା ପ୍ରେମ କରୁଥିଲେ।। ଦୁହିଁଙ୍କ ବିବାହ ନେଇ ଉଭୟ ପରିବାର ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା। ଗତକାଲି ଅପରାହ୍ନରେ ସୂର୍ଯ୍ୟକାନ୍ତଙ୍କୁଯୁବତୀ ଜଣକ କୁଆଡ଼େ ଡ଼କାଇଥିଲେ। ପରେ ପରେ ସୂର୍ଯ୍ୟକାନ୍ତ ଘରୁ ବାହାରି ଯାଇଥିଲେ। ଅପରାହ୍ନରୁ ରାତି ପର୍ଯ୍ୟନ୍ତ ସୂର୍ଯ୍ୟକାନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଏହି ଘଟଣା ପ୍ରଚାର ହେବା ପରେ ସୂର୍ଯ୍ୟକାନ୍ତଙ୍କ ପରିବାର ଓ ଗାଁ ଲୋକେ ମିଳିତ ଭାବରେ ଖୋଜି ପ୍ରେମିକାଙ୍କ ଘରେ ପହଞ୍ଚଇଥିଲେ ଓ ଘର ଭିତରେ ଝୁଲନ୍ତା ଅବସ୍ଥାରେ ସୂର୍ଯ୍ୟକାନ୍ତଙ୍କୁ ଠାବ କରିଥିଲେ। ଏହି ଘଟଣା ପ୍ରଚାର ହୋଇଯିବା ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରେମିକାଙ୍କ ପରିବାର ଲୋକଙ୍କୁ ଅଟକ ରଖି ଲୋକେ ପୁଲିସକୁ ଖବର ଦେଇଥିଲେ।

ରାତି ଦଶଟାରୁ ଗାଁରେ ଉତ୍ତେଜନା ପ୍ରକାଶ ପାଇବା ସହିତ ସୂର୍ଯ୍ୟକାନ୍ତଙ୍କ ପରିବାର ଯୁବତୀଙ୍କ ଘରେ ପଶି ଭଙ୍ଗାରୁଜା କରିଥିଲେ। ଏଥିରେ ୨ଟି ଗାଡ଼ି ଭାଙ୍ଗିଯିବା ସହିତ ବହୁ ସାମଗ୍ରୀ ନଷ୍ଟ ହୋଇଯାଇଛି। ସୂର୍ଯ୍ୟକାନ୍ତଙ୍କୁ ଯୁବତୀଙ୍କ ପରିବାର ଲୋକେ ଡାକିନେଇ ପିଟିପିଟି ହତ୍ୟା କରିବା ପରେ ଫ୍ୟାନରେ ଟାଙ୍ଗି ଦେଇଥିବା ସୂର୍ଯ୍ୟକାନ୍ତଙ୍କ ବାପା ରାଜକିଶୋର ବିଶ୍ବାଳ ବ୍ରହ୍ମଗିରି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ପୁଲିସ ୧୨୯/୨୨ରେ ଏକ ହତ୍ୟା ମାମଲା ରୁଜୁ କରି ଯୁବତୀଙ୍କ ସହିତ ତାଙ୍କ ବାପା ଶଙ୍କର ବେହେରା, ତାଙ୍କ ମା, ଜେଜେ ବାପା ଓ ଗାଁର ଦେବରାଜ ସାହୁଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଆସନ୍ତାକାଲି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ଅନ୍ୟପଟେ ସାଇଣ୍ଟିଫିକ୍‌ ଟିମ୍‌ ସହ ସଦର ଏସ୍‌ଡିପିଓ କିଶୋର ମୁଣ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି। ଶବ ବ୍ୟବଚ୍ଛେଦ କରାଯାଇ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର