କୂଅରେ ଇଟାଭାଟି ଶ୍ରମିକଙ୍କ ଶବ, ହତ୍ୟା ସନ୍ଦେହ

ଗୋଳନ୍ଥରା : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଧୀନ ନୂଆଜୁଗୁଡ଼ି ଗ୍ରାମରେ କୂଅ ଭିତରୁ ଜଣେ ଇଟାଭାଟି ଶ୍ରମିକଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ, ବଲାଙ୍ଗୀର ଜିଲ୍ଲା ଖପରାଖୋଲ ଥାନା ଅଧୀନ ଦେଧର ଗ୍ରାମର ଗୋବିନ୍ଦ ବରିହା। ଗୋବିନ୍ଦ ଜୁଗୁଡ଼ି ସ୍ଥିତ ଏକ ଇଟାଭାଟିରେ କାମ କରୁଥିଲେ। ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ତାଙ୍କୁ ହତ୍ୟା କରି କୂଅରେ ପକାଇ ଦିଆଯାଇଥିବା ସନ୍ଦେହ ଉପୁଜିଛି।

ଗୋବିନ୍ଦ ସପରିବାର ଜୁଗୁଡ଼ିରେ ରହି ଏକ ଇଟାଭାଟିରେ କାମ କରୁଥିଲେ। ଗତ ଶୁକ୍ରବାର ସେ ପନିପରିବା ଆଣିବାକୁ ନୂଆଜୁଗୁଡ଼ିକୁ ଆସି ଆଉ ଘରକୁ ଫେରି ନଥିଲେ। ପରିବାରବର୍ଗ ବହୁ ଖୋଜାଖୋଜି କରି ବି ତାଙ୍କୁ ଠାବ କରି ପାରି ନଥିଲେ। ଆଜି ଇଟାଭାଟିଠୁ କିଛି ଦୂରରେ ଥିବା ଏକ କୂଅରୁ ତାଙ୍କ ଶବ ମିଳିଥିଲା। କିଛି ଚାଷୀ ଶବ ଦେଖି ଗୋଳନ୍ଥରା ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ ହିଁ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

ଅନ୍ୟପକ୍ଷରେ ଗୋବିନ୍ଦ କାମ କରୁଥିବା ଇଟାଭାଟିର ମାଲିକ ବହୁ ବର୍ଷ ଧରି ବେଆଇନ୍ ଭାବେ ଭାଟି ଚଳାଉଥିବା ଅଭିଯୋଗ ହୋଇଛି। ଶିଶୁ ଶ୍ରମିକ ନିୟୋଜିତ ଓ ଶ୍ରମିକଙ୍କ ପ୍ରାପ୍ୟ ନଦେଇ ନିର୍ଯାତନା ଦେଉଥିବା ଭଳି ଅନେକ ଘଟଣା ସାମ୍ନାକୁ ଆସିଛି। ଏଭଳି ସ୍ଥିତିରେ ଗୋବିନ୍ଦଙ୍କ ଶବ ଉଦ୍ଧାର ଘଟଣା ନାନା ସନ୍ଦେହ ସୃଷ୍ଟି କରିଛି l ଅନ୍ୟପକ୍ଷରେ ଏହି ଘଟଣା ପରେ ଇଟାଭାଟି ମାଲିକ କୁଆଡ଼େ ମୃତକଙ୍କ ପରିବାର ଉପରେ ଚାପ ପକାଇ ଘଟଣା ଚାପିଦେବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର