ହଜିଗଲା ମାନବିକତା! ବାଇକ୍‌ରେ ବୁହାହେଲା କରୋନା ସଂକ୍ରମିତଙ୍କ ଶବ

ଛେଣ୍ଡିପଦା : କରୋନା ଯୋଗୁଁ ସାଂଘାତିକ ପରିସ୍ଥିତି ସୃଷ୍ଟି ହେଲାଣି। ସଂକ୍ରମିତଙ୍କ ପ୍ରତି ଆହା ପଦେ ମିଳିବା ତ ଦୂରକଥା, ଅନେକ ସ୍ଥାନରେ ଆଡ଼ ଆଖିରେ ସୁଦ୍ଧା ତାଙ୍କୁ ଲୋକେ ଚାହୁଁନାହାନ୍ତି। ଛେଣ୍ଡିପଦା ବ୍ଲକ୍‌ରେ କରୋନାରେ ପ୍ରାଣ ହରାଇଥିବା ଜଣେ ମହିଳାଙ୍କୁ ଆଜି ଚାରିକାନ୍ଧ ମିଳିଲାନି। ଜଣେ ସମାଜସେବୀଙ୍କ ସହଯୋଗରେ ବାଇକ୍‌ରେ ଶବ ବୋହିନେଇ ସଂସ୍କାର କରାଯାଇଛି।

ସୂଚନା ଅନୁଯାୟୀ, ବାଗେଡ଼ିଆ ଖଳାମାଳସାହିର କନକ ସାହୁ (୫୧) କରୋନା ସଂକ୍ରମିତ ହୋଇ ଘରେ ଚିକିତ୍ସାଧୀନ ଥିଲେ। ତାଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି, କନକ ଏକମାସ ତଳେ ପ୍ରଥମ ଡୋଜ୍‌ କୋଭିଡ଼ ଟିକା ନେଇଥିଲେ। କିଛିଦିନ ହେଲା ତାଙ୍କୁ ଜ୍ବର ଲାଗିରହିଥିଲା। ଗତ ସୋମବାର ଅନୁଗୁଳର ଏକ ଘରୋଇ କ୍ଲିନିକ୍‌ରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବାରୁ ସେ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। ନିଜ ଘରେ ସଙ୍ଗରୋଧରେ ରହି ସେ ଔଷଧ ବ୍ୟବହାର କରୁଥିଲେ। ଆଜି ପୂର୍ବାହ୍ଣ ୧୦ଟାବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଶବ ସଂସ୍କାର ପାଇଁ ସାହିପଡ଼ୋଶୀଙ୍କୁ ଡାକିବାରୁ କେହି ଆସିଲେ ନାହିଁ। ମୃତଦେହ ୩ ଘଣ୍ଟା ଘରେ ପଡ଼ିରହିଲା। ଖବର ପାଇ ଜରପଡ଼ା ଗାଁର ସମାଜସେବୀ କିନ୍ନର ଚିନ୍ମୟୀ ଦାସ ପହଞ୍ଚିଥିଲେ। ତାଙ୍କ ସହଯୋଗରେ ଅପରାହ୍ଣ ପ୍ରାୟ ସାଢ଼େ ୨ଟାବେଳେ ବାଇକ୍‌ରେ ଶବ ବୋହିନେଇ ଗାଁଠାରୁ କିଛିଦୂର ନାଳ ନିକଟରେ ପୋତିଦିଆଯାଇଥିଲା। ଚିନ୍ମୟୀ ପିପିଇ କିଟ୍‌ ପିନ୍ଧି ବାଇକ୍‌ରେ ଶବ ଧରି ବସିଥିଲେ। ମୃତ ମହିଳାଙ୍କ ସ୍ବାମୀ ଗତିକୃଷ୍ଣ, ସାନପୁଅ ଅଜିତ ପିପିଇ କିଟ୍‌ ପିନ୍ଧିନଥିଲେ। ସାନପୁଅ ବାଇକ୍‌ ଚଳାଇ ଯାଇଥିଲେ। ତାଙ୍କ ବଡ଼ପୁଅ ବିଜୟ ଶବ ପାଖକୁ ଆସିନଥିଲେ ସୁଦ୍ଧା ଏହାକୁ ପୋତିବା ପାଇଁ ମାଟି ଖୋଳିବାରେ ସହଯୋଗ କରିଥିଲେ। ଏ ସଂପର୍କରେ ଛେଣ୍ଡିପଦା ବିଡିଓ ସଂଜୟ ଆଚାର୍ଯ୍ୟଙ୍କୁ ପଚାରିବାରୁ ସେ ଘଟଣାସଂପର୍କରେ ଜାଣିବା ପୂର୍ବରୁ ଶବ ପୋତିଦିଆଯାଇଥିବା କହିଛନ୍ତି। ସରକାରୀ ଡାକ୍ତରଖାନାରେ କନକଙ୍କ କୋଭିଡ଼ ପରୀକ୍ଷା କରାଯାଇନଥିବାରୁ ପ୍ରଶାସନର ସଂକ୍ରମିତଙ୍କ ତାଲିକାରେ ତାଙ୍କ ନାମ ନାହିଁ ବୋଲି ବିଡିଓ ଶ୍ରୀ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି। କରୋନା ସଂକ୍ରମିତଙ୍କ ପ୍ରତି ଭୟ ଓ ଘୃଣା ଯୋଗୁଁ ବ୍ଲକ୍‌ରେ ଦୁଇଜଣ ଆତ୍ମହତ୍ୟା କରିଥିବା ଓ ଜ‌ଣେ ସଂଦିଗ୍ଧ ସଂକ୍ରମିତଙ୍କ ଶବ ୧୬ ଘଣ୍ଟାଧରି ଘରେ ପଡ଼ିରହିବା ଭଳି ଘଟଣା ଘଟିଛି।

ସମ୍ବନ୍ଧିତ ଖବର