ବ୍ରହ୍ମପୁର: ନାଳରେ ଭାସିଯାଇ ନିଖୋଜ ହୋଇଥିବା ନାବାଳକଙ୍କର ମୃତ ଦେହ ଉଦ୍ଧାର ହୋଇଛି। ୪ଘଣ୍ଟାର ସର୍ଚ୍ଚ ଅପରେସନ ପରେ ମୃତଦେହ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଯୁବକ ଉଦ୍ଧାର କରିଛନ୍ତି । ମୁକୁଳା ଡ୍ରେନରେ ପଡି ବ୍ରହ୍ମପୁରର ବଡ଼ବଜାରର ୧୦ ବର୍ଷର ନାବାଳକ ସାଇରାମ ପାତ୍ର ନିଖୋଜ ହୋଇଥିଲେ ।
ଲକ୍ଷ୍ମୀ ନୃସିଂହ ସାହି ୧୪ନମ୍ବର ଗଳିର ଶେଷ ମୁଣ୍ଡରେ ଥିବା ନାଳରୁ ସାଇରାମଙ୍କ ମୃତଦେହ ଉଦ୍ଧାର ହୋଇଛି । ଟିଉସନ ସାରି ଘରକୁ ଆସିବା ପରେ ସାଇକେଲ ଧରି ଘରୁ ବାହାରକୁ ଯିବା ବେଳେ ନାଳରେ ଖସି ପଡ଼ିଥିଲେ । ଗତକାଲି ରାତି ୮ଟା ବେଳେ ସାଇକେଲ ଚଳାଇ ଆସୁଥିବା ସାଇରାମ ପାତ୍ର ହଠାତ୍ ରାସ୍ତା କଡ ନାଳରେ ପଡିଯାଇଥିଲେ । ପ୍ରବଳ ବର୍ଷା ଯୋଗୁଁ ନାଳ ପାଣି ରାସ୍ତା ଉପରକୁ ମାଡ଼ି ଆସିଥିଲା । ଫଳରେ ରାସ୍ତା ଓ ନାଳ ଜଣାପଡ଼ୁ ନ ଥିଲା। ପାଣିର ପ୍ରଖର ସ୍ରୋତରେ ସେ ଭାସି ଯାଇଥିଲେ ।
ନିକଟରେ ଥିବା କିଛି ଯୁବକ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ। ପରେ କେବଳ ତାଙ୍କ ସାଇକେଲ ଟି ହିଁ ମିଳିଥିଲା। ସ୍ଥାନୀୟ ଲୋକେ ବିଏମ୍ସି ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
ଅଗ୍ନିଶମ ଓ ବିଏମ୍ସିର ଉପସ୍ଥିତିରେ ଦୀର୍ଘ ୪ଘଣ୍ଟା ଧରି ଖୋଜାଖୋଜି ପରେ ପିଲାଟିର ମୃତଦେହ ଉଦ୍ଧାର ହୋଇଥିଲା । ପିଲାଟିର ମୃତଦେହ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡ଼ିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।