ସମ୍ବଲପୁର : ସମ୍ବଲପୁର ସଦର ଥାନା ଝାରଗୁଲୁଣ୍ଡାର ଗାଁ ପାହାଡ଼ରୁ ନିଖୋଜ ଥିବା ଜଣେ ମହିଳାଙ୍କ ଶବ ଉଦ୍ଧାର ହୋଇଛି। ମହିଳା ଜଣକ ଝାରଗୁଲୁଣ୍ଡାର ଗାଁର ଉର୍ବଶୀ ନାଏକ(୨୩) ବୋଲି ଜଣାପଡ଼ିଛି। ସେ ଗତ ୧୪ ଦିନ ହେବ ନିଖୋଜ ଥିଲେ। ଏ ନେଇ ତାଙ୍କ ସ୍ବାମୀ ବଳରାମ ନାଏକ ଗତ ୨୭ ତାରିଖ ଦିନ ସଦର ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ ଉର୍ବଶୀ ୩ ବର୍ଷ ହେଲା ବିବାହ କରିଥିଲେ। ଉର୍ବଶୀ ଓ ବଳରାମଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ବଳରାମ ରାଗିଯାଇ ଉର୍ବଶୀଙ୍କୁ ଚାପୁଡ଼ା ମାରିବାରୁ ସେ ଘର ଛାଡ଼ି ଚାଲି ଯାଇଥିଲେ। ଉର୍ବଶୀ ଘର ଛାଡ଼ି ଚାଲିଯିବା କଥା ତାଙ୍କ ବାପଘର ଲୋକେ ମଧ୍ୟ ଅବଗତ ଥିଲେ ବୋଲି ସଦର ପୁଲିସ ପକ୍ଷରୁ ସୂଚନା ମିଳିଛି।
ଖୋଜାଖୋଜି ପରେ ମଧ୍ୟ ପୁଲିସ କିମ୍ବା ପରିବାର ଘର ଲୋକ ଉର୍ବଶୀଙ୍କୁ ପାଇନଥିଲେ। ସ୍ଥାନୀୟ ଲୋକେ ବୁଧବାର ଅପରାହ୍ଣରେ ଗାଁ ପାହାଡ଼କୁ ଛେଳି ଚରାଇବାକୁ ଯାଇଥିବାବେଳେ ମହିଳାଙ୍କ ଗଳିତ ଶବ ଦେଖିଥିଲେ।
ଏ ନେଇ ବୁଧବାର ସନ୍ଧ୍ୟାରେ ସଦର ପୁଲିସକୁ ସୂଚନା ଦେବାପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନ୍ଭିନ୍ କରିଥିଲା। ଗୁରୁବାର ଦିନ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବା ପରେ ମହିଳାଙ୍କ ଗଳିତ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଉର୍ବଶୀଙ୍କ ବେକରେ ଲାଗିଥିବା ଲୁଗାଟି ଟାଇଟ୍ ହୋଇ ବନ୍ଧା ହୋଇଥିବାରୁ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ତାହା ଜଣାପଡ଼ିବ ବୋଲି ସଦର ଥାନାଧିକାରୀ ଜ୍ୟୋତ୍ସ୍ନାରାଣୀ ବେହେରା କହିଛନ୍ତି। ଆପିସି ଧାରା ୩୦୬, ୪୯୮, ୩୪ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/dead-bbc-4.jpg)