ବାମରା : ବାମରା ବ୍ଲକ ସଦର ମହୁକୁମା ଗୋବିନ୍ଦପୁର(ଗୌନ୍ତିଆପଡ଼ା) ଅଞ୍ଚଳର ନରୁତ୍ତମ ବୁଡ଼ା(୪୮) କୌଣସି କାମରେ ୩/୪ ଦିନ ତଳେ ସମ୍ବଲପୁର ଯାଇଥିଲେ। ଘର ତାଲା ପକାଇ ଦେଇଥିଲେ। ତେବେ ଅନ୍ୟ ଏକ ଖୋଲା କୋଠରିରୁ ଦୁର୍ଗନ୍ଧ ବାହାରୁଥିବା ପଡ଼ା ଲୋକେ ଜାଣିବାକୁ ପାଇଥିଲେ। ଏ ବାବଦରେ ନରୁତ୍ତମଙ୍କୁ ଫୋନ୍ କରିବାରୁ ତାଙ୍କ ବଡ଼ ଭଉଣୀ ନିରାବତୀ ବାଘ(୭୦)ଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ। ଶନିବାର ସକାଳେ ଆଖପାଖ ଲୋକଙ୍କୁ ଜଣାଇ ଶବ ସତ୍କାର କିଭଳି କରାଯିବ ସେ ନେଇ ତତ୍ପର ହୋଇ ପଡ଼ିଥିଲେ। ଶବଟି ଗଳିତ ଅବସ୍ଥାରେ ରହିଥିବା କାରଣରୁ କେହି ବି ସହାୟତା କରିବାକୁ ଆସି ନଥିଲେ। ସେଥିପାଇଁ ସେ ନିକଟସ୍ଥ ଗାଁ କୁଲୁଟାରେ ଥିବା ସଫେଇ କର୍ମଚାରୀଙ୍କ ସହାୟତା ଲୋଡ଼ିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଶନିବାର ସୂର୍ଯ୍ୟାସ୍ତ ପରେ ସଫେଇ କର୍ମଚାରୀମାନେ ଉକ୍ତ ଶବକୁ କପଡ଼ାରେ ବାନ୍ଧି ନିକଟସ୍ଥ ମିଟୁପଡ଼ା ଭିଏଏସ୍ କଲୋନି ମଝିରେ ଥିବା ନାଳ ପାଖରେ ଫିଙ୍ଗି ପଳାଇଥିଲେ। ଏହା ଦେଖି ଗ୍ରାମର କେହି ଜଣେ ଗୋବିନ୍ଦପୁର ଥାନାକୁ ଫୋନରେ ଜଣାଇଥିଲେ। ଗୋବିନ୍ଦପୁର ପୁଲିସ ଷ୍ଟାଫ ଶନିବାର ରାତି ୮ ଟାରେ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରି ନରୁତ୍ତମଙ୍କୁ ରବିବାର ସକାଳ ସୁଦ୍ଧା ଶବ ସତ୍କାର କାଟିବାକୁ ତାଗିଦ କରିଥିଲେ। ସକାଳୁ ଏ ଖବର ପ୍ରଚାରିତ ହେବାପରେ କିଛି ଲୋକ ବରିଷ୍ଠ ସାମ୍ବାଦିକ ସନ୍ତୋଷ ଶୁକ୍ଳାଙ୍କୁ ଜଣାଇଥିଲେ। ସକାଳ ୯ ଟାରେ ସ୍ଥାନୀୟ ସ୍ବେଚ୍ଛାସେବୀ ମିଥୁନ କୋହ୍ଲ ତାଙ୍କଠାରୁ ସୂଚନା ପାଇ ସ୍ୱିପର ହେମନ୍ତ ବେହେରାଙ୍କ ସମେତ ସ୍ବେଚ୍ଛାସେବୀମାନଙ୍କ ସହାୟତା ନେଇଥିଲେ। ସମ୍ବଲପୁରର ‘ମାସ’ ପକ୍ଷରୁ ‘ବାମରା–୨୦୨୦ ହେଲଥ କେୟାର’କୁ ଯୋଗାଇ ଦେଇଥିବା ପିପିଇ କିଟ, ମାସ୍କ, ସେନିଟାଇଜର ଆଦି ବ୍ୟବହାର କରି ମିଥୁନ କୋହ୍ଲଙ୍କ ତତ୍ତ୍ୱାବଧାନରେ ସାମ୍ବାଦିକ ଶ୍ରୀ ଶୁକ୍ଳା, ସ୍ଥାନୀୟ ସ୍ବେଚ୍ଛାସେବୀ ଅବିନାଶ ସୁହୁଲା, କିରଣ ରଣା, ଅନିତ ସିଂ, ବିନ୍ଦା ପ୍ରସାଦ, ଭୁବନାନନ୍ଦ ସାହାଣୀ, ଗ୍ରାମରକ୍ଷୀ ରଥ କିସାନ, ସ୍ୱିପର ହେମନ୍ତ ବେହେରା ପ୍ରମୁଖ ମିଶି ଏକ ଗାତ ଖୋଳି ଶବକୁ ପୋତି ଦେଇଥିଲେ।
ଉଲ୍ଲେଖ ଯୋଗ୍ୟ ଯେ ମୃତ ନିରାବତୀଙ୍କ ବିବାହ ଝାରସୁଗୁଡ଼ା ଜିଲ୍ଲା ପଣ୍ଡକିମାଲ ଗାଁର ମୁକ୍ତେଶ୍ଵର ଲୁହାଙ୍କ ସହିତ ହୋଇଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଧାରୁଆଡିହି ଥାନା କୁତୁମୁରା ଗ୍ରାମରେ ରହୁଥିଲେ। ତାଙ୍କର ସନ୍ତାନ ସନ୍ତତି କେହି ନ ଥିବାବେଳେ, ସେ ଏଣେତେଣେ ମାଗିଯାଚି ଚଳୁଥିଲେ। ଦେଢ଼ ମାସ ତଳେ ଧାରୁଆଡିହି ପୁଲିସ ତାଙ୍କୁ ନେଇ ପୁଣି କୁତୁମୁରାରେ ଛାଡ଼ି ଦେଇଥିଲା। ବୃଦ୍ଧାବସ୍ଥା କାରଣରୁ ସେ ଠିକ ଭାବେ ଚଲବୁଲା ମଧ୍ୟ କରି ପାରୁ ନ ଥିବାରୁ, ସାନ ଭାଇ ନରୁତ୍ତମ ଘରକୁ ଚାଲି ଆସିଥିଲେ। କିଛିଦିନ ହେବ ସେ ଶଯ୍ୟାଶାୟୀ ହୋଇ ପଡ଼ିଥିଲେ।