ସୋଲଦିଆ ଜଙ୍ଗଲରୁ ଯୁବକଙ୍କ ଶବ ଉଦ୍ଧାର

ଲଖନପୁର : ଲଖନପୁର ଥାନା ପୁଲିସ ସୋଲଦିଆ ଜଙ୍ଗଲରୁ ଜଣେ ଯୁବକଙ୍କ ଶବ ଉଦ୍ଧାର କରିଛି। ମୃତ ଯୁବକ ଜଣକ ବେଲପାହାଡ଼ ଥାନା ଅନ୍ତର୍ଗତ ଧଉଁରାମୁଣ୍ଡା ଗାଁର ଜିତେନ୍ଦ୍ର ନାଏକ ଓରଫ୍‌ ମଣ୍ଟୁ (୨୮ ବର୍ଷ) ‌ବୋଲି ଚିହ୍ନଟ କରାଯାଇଛି।

ସୂଚନା ଅନୁଯାୟୀ ଲଖନପୁର ବ୍ଲକ୍‌ ସୁନାରୀ ପଞ୍ଚାୟତର ମହାନଦୀ ଜଳଭଣ୍ଡାରର ରମ୍ପାଲୁଗା-ସୁଆକାନୀଠାରେ ଜିତେନ୍ଦ୍ର ବହୁ ଦିନରୁ ମାଛଧରା କାର୍ଯ୍ୟ କରି ଆସୁଥିଲେ। ତେବେ ମାଛଧରା କାର୍ଯ୍ୟରୁ ଛୁଟି ନେଇ ଗତ ୮ତାରିଖ ସକାଳେ ନିଜ ଗାଁ ପାଖର ଅନ୍ୟ ୩ ଜଣ ସାଙ୍ଗଙ୍କ ସହ ଘରକୁ ଫେରିବା ସମୟରେ କୌଣସି କାମରେ ବାଘମୁଣ୍ଡା ପଞ୍ଚାୟତର ନୂଆଁବନ୍ଦଠାରେ ସେ ଅଟକି ଥିଲେ। ତାଙ୍କ ଅନ୍ୟ ସାଙ୍ଗମାନେ ଘରକୁ ଫେରି ଯାଇଥିଲେ। ଜିତେନ୍ଦ୍ର ୧୩ ତାରିଖ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ଜିତେନ୍ଦ୍ରଙ୍କ ନିଖୋଜ ସମ୍ପର୍କରେ ଲଖନପୁର ଥାନାରେ ମଙ୍ଗଳବାର ଏତଲା ଦେଇଥିଲେ। ପରେ ବୁଧବାର ସନ୍ଧ୍ୟାରେ ସୋଲଦିଆ ଜଙ୍ଗଲରେ ଏକ ଗଛମୂଳେ ବସିଥିବା ଅବସ୍ଥାରେ ଏକ ଯୁବକଙ୍କ ଶବ ଥିବା ସମ୍ପର୍କରେ ଗାଁ ଲୋକଙ୍କୁ ଠାରୁ ଖବର ପାଇ ଲଖନପୁର ପୁଲିସ ଉକ୍ତ ଶବକୁ ଉଦ୍ଧାର କରିଥିଲା। ତେବେ ତାହା ଜିତେନ୍ଦ୍ରଙ୍କ ମୃତଦେହ ବୋଲି ତାଙ୍କ ପରିବାର ଲୋକ ଚିହ୍ନଟ କରିଥିଲେ। ଏହି ଘଟଣା ସମ୍ପର୍କରେ ଲଖନପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ଏବଂ ଗୁରୁବାର ମୃତ ଜିତେନ୍ଦ୍ରର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। କିନ୍ତୁ ଜିତେନ୍ଦ୍ରଙ୍କ ମୃତ୍ୟୁର ସଠିକ୍‌ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଘଟଣାର ତଦନ୍ତ ଚାଲିଛି ବୋଲି ଥାନା ଆଇଆଇସି ଇଗ୍ନେସ ବାର୍ଲା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର