ବଲାଙ୍ଗୀର : ବଲାଙ୍ଗୀର ଖୁଜେନପାଲି ନିକଟ ରେଳ ଧାରଣାରୁ ରବିବାର ରଜତ ପଧାନ (୨୩ବର୍ଷ) ନାମକ ଜଣେ ଯୁବକଙ୍କ ଶବ ଉଦ୍ଧାର କରିଛି ରେଲୱେ ପୁଲିସ। ମୃତ ରଜତଙ୍କ ଘର ସଦର ଥାନା ଅନ୍ତର୍ଗତ ଅଏଁଲାଚୁଆଁ ଗାଁରେ ବୋଲି ଜଣାପଡ଼ିଛି। ତାଙ୍କୁ ଅପହରଣ କରି ହତ୍ୟା କରିବା ପରେ ରେଳ ଧାରଣାରେ ଫିଙ୍ଗିଦିଆଯାଇଛି ବୋଲି ମୃତ ରଜତଙ୍କ ବାପା ନିରାକାର ପଧାନ ଅଭିଯୋଗ କରିଛନ୍ତି।

Advertisment

ପରିବାର ଲୋକଙ୍କ କହିବା ଅନୁସାରେ, ଶନିବାର ସନ୍ଧ୍ୟା ୭ଟାରୁ ରଜତ ଘରୁ ବାହାରି ଆଉ ଫେରିନଥିଲେ। ରାତି ସାଢ଼େ ୮ଟାରେ ତାଙ୍କ ମୋବାଇଲ ଫୋନ୍‌ ଲାଗିନଥିଲା। ରଜତଙ୍କୁ କିଛି ଲୋକ ଜୋର୍‌ଜବରଦସ୍ତ ପିକ୍‌ଅପ୍‌ ଭ୍ୟାନ୍‌ରେ ଉଠାଇ ନେଇଥିବା ଗାଁର କିଛି ମହିଳା କହିଥିଲେ। ସଦର ପୁଲିସ ସହାୟତାରେ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ରବିବାର ରେଲୱେ ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି। ମୃତ ରଜତ ବରକାନୀ ପଞ୍ଚାୟତରେ ଯୋଗାଣ ସହାୟକ ଭାବେ କାମ କରୁଥିଲେ। କିନ୍ତୁ ଗତ ଦୁଇମାସ ତଳେ କୌଣସି କାରଣରୁ ଚାକିରି ଛାଡ଼ି ଦେଇଥିଲେ।