ଭୁବନେଶ୍ୱର: ରାଜଧାନୀ‌ରେ ମିଳୁଥିଲା ଥାଇଲାଣ୍ଡ ଭଳି ମସାଜ୍‌ ସେବା। ତା’ ଭିତରେ ଅଭିନବ ଉପାୟରେ ଚାଲିଥିଲା ଦେହ ବ୍ୟବସାୟ। ତାହା ପୁଣି ରାଜକୀୟ ଠାଣିରେ! ତାରକା ହୋଟେଲ୍‌ ଭଳି ସୁସଜ୍ଜିତ ଶୀତତାପ ନିୟନ୍ତ୍ରିତ କୋଠରି। କୋଠରିରେ ରଙ୍ଗ ବେରଙ୍ଗର କୋମଳ ଶଯ୍ୟା, ହାଲ୍‌କା ନୀଳ ରଙ୍ଗର ଆଲୋକ...। ଆଉ ସବୁ ପ୍ରକାର ସେବା ଯୋଗାଇବାଲାଗି ପ୍ରସ୍ତୁତ ବିଦେଶୀ ଯୁବତୀଙ୍କ ଠାରୁ ଆରମ୍ଭ କରି ଓଡ଼ିଶାର କଲେଜ ପଢ଼ୁଆ ଝିଅ। ଆଜି ଖାରବେଳନଗର ଥାନା ପୁଲିସ ସତ୍ୟ ନଗର ଅଞ୍ଚଳରେ ଥିବା ‘ଭେଷ୍ଟେଜ୍‌ ସ୍ପା ବା ‘ଶିବାନୀ ୱେଲ୍‌ନେସ୍‌ ବିୟୁଟି ସ୍ପା ଆଣ୍ଡ ହମାମ’ରେ ଚଢ଼ଉ ବେଳେ ସ୍ପା ପଛର ପ୍ରକୃତ ଗୁମର ପଦାକୁ ଆସିଛି। ପୁଲିସ ସେଠାରୁ ୪ ରୂପଜୀବୀଙ୍କୁ ଉଦ୍ଧାର କରିଛି, ଯାହାଙ୍କ ଭିତରେ ଅଛନ୍ତି ଜଣେ ବଙ୍ଗୀୟ ଓ ଜଣେ ଝାଡ଼ଖଣ୍ଡର ଯୁବତୀ। ପୁଲିସ ସ୍ପା ମାଲିକ ଚନ୍ଦ୍ରକାନ୍ତ ମଲ୍ଲିକ ଓ ତାଙ୍କ ସହଯୋଗୀକୁ ଅଟକ ରଖି ପଚରା ଉଚରା କରୁଛି। ସ୍ପାରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି।

Advertisment

ଦୀର୍ଘ ୩ ବର୍ଷରୁ ଊର୍ଧ୍ୱ ହେବ ଏହି ସ୍ପାରେ ଦେହ ବ୍ୟବସାୟ ଚାଲିଥିଲେ ବି କେହି‌ ଟେର୍‌ ପାଇନଥିଲେ। ପ୍ରଥମେ ଏହାର ନାଁ ଥିଲା ଭେଷ୍ଟେଜ୍‌ ସ୍ପା, ପରେ ହେଲା ‘ଶିବାନୀ ୱେଲ୍‌ନେସ୍‌ ବିୟୁଟି ସ୍ପା ଆଣ୍ଡ ହମାମ’। ଏଠାକାର ବ୍ୟବସାୟ ସଂପୂର୍ଣ୍ଣ ଗୋପନରେ ଚାଲିଥିଲା। ଗ୍ରାହକ ଆସୁଥିଲେ, ମନ ଖୁସିକରି ଫେରୁଥିଲେ। ହଜାରହଜାର ଟଙ୍କା ଉଡ଼ୁଥିଲା। କିନ୍ତୁ ବାହାରର କେହି ସାମାନ୍ୟ ସୁରାକ ବି ପାଉ ନଥିଲେ। ତେବେ କିଛି ଦିନ ତଳେ ଖାରବେଳନଗର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲେ ଯେ, ସ୍ପା ଆଢ଼ୁଆଳରେ ସେଠାରେ ସେକ୍ସ ରୢାକେଟ୍‌ ଚାଲିଛି।

ତେଣୁ ଏହାକୁ ଠାବ ପାଇଁ ସେ ନିଜେ ୨ଦିନ ସେଠାରେ ଚକ୍କର କାଟିଥିଲେ। ଗୁରୁବାର ଅପରେସନ୍ ସଫଳ ହୋଇନଥିଲା। ଆଜି, ଅର୍ଥାତ୍‌ ଶୁକ୍ରବାର ସନ୍ଧ୍ୟାରେ ଜଣେ ଏସ୍‌ଆଇଙ୍କୁ ଗ୍ରାହକ ସଜାଇ ସ୍ପାକୁ ପଠାଇଥିଲେ। ଏସ୍‌ଆଇ ପହଞ୍ଚି ମସାଜ୍‌ ପାଇଁ ଦର ବୁଝିଥିଲେ। ସେଠାରେ ଥିବା କର୍ମଚାରୀ ଜଣକ କହିଥିଲେ- ୧୫ଶହ ଟଙ୍କା ଦେଲେ କେବଳ ସ୍ପା। ଆଉ କିଛି ଅଧିକ ସେବା ମିଳିବ କି ବୋଲି ପଚାରିଥିଲେ ଛଦ୍ମବେଶୀ ଏସ୍‌ଆଇ। ‌ଉତ୍ତର ମିଳିଥିଲା- ‘‘ଅଢ଼େଇ ହଜାର ଟଙ୍କା ଦିଅ, ତମକୁ ଯୁବତୀମାନେ ମସାଜ୍‌ କରିବେ ଓ ଆଉ ତମେ ବି ସେମାନଙ୍କୁ ମସାଜ୍‌ କରି ପାରିବ।’’ ସେ ତାଙ୍କୁ ଏକ ରୁମ୍‌କୁ ନେଇ ଆହୁରି ବିସ୍ତୃତ ଭାବେ ବୁଝାଇଥିଲେ। ଏହାପରେ ଏସ୍‌ଆଇ ଜଣକ ଅଗ୍ରୀମ ହଜାରେ ଟଙ୍କା ଦେଇ ‘ଏଟିଏମ୍‌ରୁ ଅବଶିଷ୍ଟ ଟଙ୍କା ଆଣୁଛି’ କହି ବାହାରକୁ ଚାଲି ଆସିଥିଲେ। ପରେ ପରେ ଯୋଜନା ମୁତାବକ ଅପରାହ୍ଣ ପ୍ରାୟ ସାଢ଼େ ୫ଟା ବେଳେ ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍‌ ସେଠାରେ ପହଞ୍ଚି ଚଢ଼ଉ କରିଥିଲା। ସେଠାରେ ୨ଜଣ ଯୁବତୀଙ୍କ ସହ ୨ଜଣ ଗ୍ରାହକ ଅସଞ୍ଜତ ଅବସ୍ଥାରେ ଥିବା ପୁଲିସ କାବୁ କରିଥିଲା। ଅନ୍ୟମାନେ ଫେରାର୍‌ ହେବାକୁ ଉଦ୍ୟମ କରିଥିଲେ। ହେଲେ ଚାରିପଟୁ ଘେରି ରହିଥିବା ପୁଲିସ ହାତରୁ ବର୍ତ୍ତିପାରି ନଥିଲେ। ପୁଲିସ ସମସ୍ତଙ୍କୁ କାବୁ କରିବା ପରେ ଥାନାକୁ ଆଣି ଜେରା କରୁଛି। ସ୍ପାରୁ ଜବତ ହୋଇଥିବା ଏକ ରେଜିଷ୍ଟର୍‌ରେ ଶତାଧିକ ଗ୍ରାହକଙ୍କ ନଁା ଓ ମୋବାଇଲ୍‌ ନମ୍ବର ଲେଖାଯାଇଛି। ତା’ ଭିତରେ କିଛି ବିଶିଷ୍ଟ ଲୋକଙ୍କ ନାଁ ଥିବା ପୁଲିସ ସନ୍ଦେହ କରୁଛି। ସେ ଦିଗରେ ତଦନ୍ତ ଜାରି ରହିଛି।