ବୋଫର୍ସ ମାମଲା: ସିବିଆଇ ଖୋଜୁଥିବା ଅଧିକାରୀଙ୍କ ସନ୍ଦେହଜନକ ମୃତ୍ୟୁ

ଭୋପାଳ: ସେନା ପାଇଁ ଭାରତରେ ସ୍ବଦେଶୀ ଢାଞ୍ଚାରେ ନିର୍ମାଣ ହେଉଥିବା ବୋଫର୍ସ ବନ୍ଧୁକରେ ଚୀନ୍‌ର ନକଲି ଉପକରଣ ବ୍ୟବହାର ହେଉଥିବା ମାମଲାରେ ସମ୍ପୃକ୍ତି ଥିବା ‌ଜଣେ ଅଧିକାରୀଙ୍କୁ ସିବିଆଇ ଜେରା କରୁଥିଲା। ତେବେ ଏହି ଅଧିକାରୀଙ୍କର ରହସ୍ୟଜନକ ମୃତ୍ୟୁ ହୋଇଯାଇଛି। ଉକ୍ତ ଅଧିକାରୀ ଜଣଙ୍କ ମଧ୍ୟପ୍ରଦେଶ ଜବଲପୁର ଜିସିଏଫ୍‌ (ଗନ୍‌ସ କ୍ୟାରେଜ୍‌ ଫ୍ୟାକ୍ଟ୍ରି)ର ଜଣେ କନିଷ୍ଠ ମ୍ୟାନେଜର ଥିଲେ। ମାମଲାର ସିବିଆଇ ତଦନ୍ତ ଚାଲିଥିବାବେଳେ ଉକ୍ତ ଅଧିକାରୀ କିଛି ଦିନ ଧରି ନିଖୋଜ ଥିବାବେଳେ ତାଙ୍କୁ ସିବିଆଇ ଖୋଜୁଥିଲା। କିନ୍ତୁ ତାଙ୍କର ରହସ୍ୟଜନକ ମୃତ୍ୟୁ ହୋଇଯାଇଛି। ଉକ୍ତ କନିଷ୍ଠ ପରିଚାଳକ ଏସ୍‌ସି ଖଟୁଆ ଗତ ଜାନୁଆରି ୨୭ ତାରିଖରେ ନିଖୋଜ ହୋଇ ଯାଇଥି‌ଲେ। ତାଙ୍କ ପତ୍ନୀ ଏନେଇ ଜବଲପୁରର ଘାମାପୁର ଥାନାରେ ଏତଲା ଦେଇଥିଲେ।‌ ତେବେ ଆଜି ଜବଲପୁର ଜିସିଏଫ୍‌ର ସେକ୍ସନ୍‌ ୨ ଅଞ୍ଚଳରେ ଖଟୁଆଙ୍କ ମୃତଦେହ ଉଦ୍ଧାର ହୋଇଛି। ଖଟୁଆଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ହତ୍ୟା କରାଯାଇଛି। କିନ୍ତୁ ପୁଲିସ ବିଶ୍ବାସ କରୁଛି ଯେ ‌ସେ ଆତ୍ମହତ୍ୟା କରିଛନ୍ତି। ଉଲ୍ଲେଖଯୋଗ୍ୟ ୨୦୧୭ ଜୁନ୍‌ରେ ସିବିଆ‌ଇ ଦିଲ୍ଲୀର ଏକ କମ୍ପାନି ଏବଂ ଜବଲପୁରର ଜିସିଏଫ୍‌ କମ୍ପାନିର କିଛି ଅଧିକାରୀଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରିଥିଲା। ‘ମେଡ୍‌ ଇନ୍‌ ଜର୍ମାନି’ ନାମରେ କିଛି ନକଲି ଚୀନ୍‌ ଉପକରଣ ବୋଫର୍ସ ବନ୍ଧୁକ ନିର୍ମାଣ ପାଇଁ ଜିସିଏଫ୍‌କୁ ‌ଯୋଗାଣ କରାଯାଉଥିଲା ବୋଲି ଅଭିଯୋଗ ହୋଇଥିଲା। ଗତ ଜାନୁଆରି ୧୦ ତାରିଖରେ ମଧ୍ୟ ୪ ଜଣ ସିବିଆଇ ଅଧିକାରୀ ଖଟୁଆଙ୍କୁ ଏହି ମାମଲାରେ ଜେରା କରିଥିଲେ।

ସମ୍ବନ୍ଧିତ ଖବର