କାର୍ତ୍ତିକ ପୂର୍ଣ୍ଣିମାରେ ନଦୀଘାଟରେ ଅମାନିଆଙ୍କୁ ଜଗିବ ପୁଲିସ, ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ

ଧଉଳି/ ବାଲିଅନ୍ତା:ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା । କରୋନା ମହାମାରୀ ଲାଗି ଏବର୍ଷ ବୋଇତବନ୍ଦାଣ ଉତ୍ସବକୁ ବନ୍ଦ କରାଯିବା ଲାଗି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଏଭଳି ବିଜ୍ଞପ୍ତି ପ୍ରକାଶ ପାଇବା ସତ୍ବେ କିଛି ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ପରଂପରା ଆଳ ଦେଖାଇ ଉପକଣ୍ଠ ଅଞ୍ଚଳରେ ଦୟାନଦୀ ଓ କୁଆଖାଇ ନଦୀର ବିଭିନ୍ନ ସ୍ଥାନରେ ବୋଇତବନ୍ଦାଣ କରିବାକୁ ପ୍ରସ୍ତୁତି ଚଳାଇଥିବା ଖବର ମିଳିଛି ।

ଉଲ୍ଲେଖଯୋଗ୍ୟ ଧଉଳି ଥାନା ଅଧୀନ ଦୟାନଦୀ ଘାଟ ଓ ବାଲିଅନ୍ତା ଥାନା ଅଧୀନ କୁଆଖାଇ ନଦୀ ଘାଟରେ ନିର୍ଦ୍ଧିଷ୍ଟ ସଂଗଠନ ଓ ପରିଷଦ ତରଫରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଥାଏ । ଏବର୍ଷ କୋଭିଡ଼ କଟକଣା ପାଇଁ ମଠ ମନ୍ଦିର ବନ୍ଦ ରଖାଯିବା ସହ ଡଙ୍ଗା ଭସା ବନ୍ଦ ରଖିବାକୁ କୁହାଯାଇଛି । କଟକଣାକୁ ଉଲ୍ଲଂଘନ କରି ଦୟା ଓ କୁଆଖାଇରେ ବୋଇତ ଭସାଇଲେ ସଂପୃକ୍ତ ଅନୁଷ୍ଠାନ ଓ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି । ନଦୀଘାଟ ଅଞ୍ଚଳରେ କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜିବା ପାଇଁ କମିସନରେଟ ପୁଲିସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ । ଏନେଇ ସ୍ଥାନୀୟ ପୁଲିସ ପକ୍ଷରୁ ନଦୀଘାଟରେ ପୁଲିସ ମୁତୟନ କରାଯିବା ସହ ପିସିଆର ପୁଲିସ ପାଟ୍ରୋଲିଂ କରିବ ବୋଲି କୁହାଯାଇଛି । ଆଇନ ଉଲ୍ଲଂଘନ କଲେ ଅମାନିଆଙ୍କୁ ଗିରଫ କରାଯିବ ବୋଲି ଜଣେ ପୁଲିସ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗାଁ ଗହଳିରେ ଲୋକମାନେ ପୂର୍ବବର୍ଷ ଭଳି ଡଙ୍ଗା ଭସାଇବେ ବୋଲି ସୂଚନା ମିଳିଛି । ସେମାନଙ୍କ ଉପରେ ଏହାର କିଛି ପ୍ରଭାବ ପଡ଼ିବ ନାହିଁ ବୋଲି ଆଲୋଚନା ହେଉଛି ।

ସମ୍ବନ୍ଧିତ ଖବର