ଧାମରାରେ ରାଜ୍ୟସ୍ତରୀୟ ବୋଇତ ବନ୍ଦାଣ ଉତ୍ସବ

ଧାମରା ବନ୍ଦର ବିଶ୍ବ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି: ଶିଳ୍ପମନ୍ତ୍ରୀ, ପୂର୍ବସୂରୀଙ୍କର ଗୌରବ ଗାଥାକୁ ମନେ ପକାଇଦେଉଛି: ସୌମ୍ୟରଂଜନ
ଭଦ୍ରକ : ଧାମରା ବନ୍ଦର ଓଡ଼ିଶା ମାନଚିତ୍ରରେ ନୁହେଁ, ସମଗ୍ର ବିଶ୍ବ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ଧାମରା ମତ୍ସ୍ୟ ପୋତାଶ୍ରୟ ପ୍ରାଙ୍ଗଣରେ ଧାମରା-ଚାନ୍ଦବାଲି ବୋଇତ ବନ୍ଦାଣ କମିଟି ପକ୍ଷରୁ ୧୮ତମ ରାଜ୍ୟସ୍ତରୀୟ ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶିଳ୍ପ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଅନନ୍ତ ଦାସ ଏହା କହିଛନ୍ତି।

ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ଯେ, ଗୋଟିଏ ପରମ୍ପରାକୁ ପାଳନ କରିବାକୁ ଯାଇ ଆମେ ଆଉ ଏକ ପରମ୍ପରା ସୃଷ୍ଟି କଲେଣି। ଆମ ଅଜା, ଜେଜେଙ୍କ ଅମଳର ନୌବାଣିଜ୍ୟର ସ୍ମୃତିକୁ ମନେ ପକାଇବା ପାଇଁ ଏ ପ୍ରକାର ବୋଇତ ବନ୍ଦାଣ ଉତ୍ସବ ପାଳନ କରି ବନ୍ଦର ସଭ୍ୟତାର ବିକାଶ କଥାକୁ ନେଇ ଆମ ଯୁବପିଢ଼ିଙ୍କ ମନରେ ନୂଆ ସ୍ବପ୍ନ ଭରି ଦେଲେଣି। ଧାମରା ବନ୍ଦର ଆଜି ଭାରତ ବର୍ଷରେ ଏକ ପ୍ରମୁଖ ବନ୍ଦରର ଗୌରବ ବହନ କରୁଛି। ଧାମରା ବନ୍ଦର ଆମ ପୂର୍ବସୂରୀଙ୍କର ଗୌରବର ଗାଥା ମନେ ପକାଇ ଦେଉଛି। ଦିନେ ଏଇ ସମୁଦ୍ର ମୁହାଣରୁ ଆମ ପୂର୍ବସୂରୀମାନେ ବାଣିଜ୍ୟ କରିବାକୁ ଜାଭା, ସୁମାତ୍ରା ଯାଇ ବାଣିଜ୍ୟ କରି ପୁଣି ସମୁଦ୍ର ପଥରେ ଫେରୁଥିଲେ ଧାମରାକୁ। ସେଦିନର ସେହି ନୌବାଣିଜ୍ୟର ପରଂପରା ଓ ଐତିହ୍ୟକୁ ମନେ ପକାଇ ଆମେ ଆଜି ଆମ ପୂର୍ବସୂରୀମାନଙ୍କ ପାଇଁ ବୋଇତ ବନ୍ଦାଣ ଉତ୍ସବ ପାଳୁଛନ୍ତି ବୋଲି ସେ କହିିଥିଲେ।

ଉତ୍ସବରେ ବରେଣ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ ଧାମରା ବନ୍ଦର ହେଉଛି ଆମ ଗର୍ବ ଓ ଗୌରବର ପ୍ରତୀକ ବୋଲି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ, ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଜଗନ୍ନାଥ ସ୍ବାଇଁ, ସମାଜସେବୀ ଅଜୟ ନାୟକ, ସିନେ କଳାକାର ଅରିନ୍ଦମ୍, ଏଲିନା ଦାସ , ରାଜ୍ୟ ବିଜୁ ମହିଳା ମୋର୍ଚ୍ଚାର ସଭାନେତ୍ରୀ ସୁଲତା ଦେଓ, ବିଜେଡି ସଂପାଦିକା ତଥା ସିନେ କଳାକାର ଏଲିନା ସାମନ୍ତରାୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବୋଇତ ବନ୍ଦାଣ କମିଟିର ସଂପାଦକ ପ୍ରିୟରଂଜନ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କମିଟିର ସଦସ୍ୟ ସାମ୍ବାଦିକ ଅଭୟ ପତି ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସଂପାଦକୀୟ ବିବରଣୀ ପାଠ କରିଥିଲେ। ଶେଷରେ, ରଂଜନ ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର