ରାଉରକେଲା: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ସହରର ରାଜନୀତି ପାଣିପାଗ ସେତିକି ଗରମ ହେବାରେ ଲାଗିଛି। ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ନିଜ ନିଜର ପତିଆରା ଓ ଦବଦବା ଜାହିର କରିବାକୁ ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମ ଆୟୋଜନମାନ କରୁଛନ୍ତି। ଏଥିରୁ ବାଦ୍ ପଡ଼ିନି ବିଜେଡି। ହାଇକମାଣ୍ଡଙ୍କ ନିକଟରେ ପତିଆରା ଜାହିର କରିବାକୁ ଦୁଇଗୋଷ୍ଠୀ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ନିକଟରେ ଅନୁଷ୍ଠିତ ରାଉରକେଲା ବଣିକ ସଂଘ, ଅର୍ବାନ କୋ- ଅପରେଟିଭ ବ୍ୟାଙ୍କ, ଇସ୍ପାତ ସେଣ୍ଟ୍ରାଲ ମାର୍କେଟ ଓ ରାଉରକେଲା ମାଇନିଂ ଏରିଆ ଟିପ୍ପର ଓ ଟ୍ରକ ଓନର୍ସ ଆସୋସିଏସନ୍ ନିର୍ବାଚନରୁ ପ୍ରମାଣିତ ହୋଇଛି। ଏତିକିରେ କଥା ସରିନି। ଆଗାମୀ ଦିନରେ ହେବାକୁ ଯାଉଥିବା ବୋଇତବନ୍ଦାଣ ଉତ୍ସବରେ ଦୁଇଗୋଷ୍ଠୀ ନିଜ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।
ଦୁଇଗୋଷ୍ଠୀର କିଛି ଛାମୁଆ ନେତା ଆଗକୁ ଆସୁନାହାନ୍ତି। ବରଂ ପ୍ରଚ୍ଛଦପଟ୍ଟରେ ରହି କିଛି ନେତା ଓ କର୍ମୀଙ୍କ ସହାୟତାରେ ଉତ୍ସବକୁ ଆଖିଦୃଶିଆ କରିବାକୁ ପୁରା ଦମ୍ ଲଗାଇଦେଇଛନ୍ତି। ପ୍ରତିବର୍ଷ ସେକ୍ଟର-୨ ଦୁର୍ଗାପୂଜା ପଡ଼ିଆରେ ଉତ୍କଳ ସାଂସ୍କୃତିକ ପରିଷଦ ପକ୍ଷରୁ ଗୋଟିଏ ଦିନ ବୋଇତବନ୍ଦାଣ ଉତ୍ସବ ଆୟୋଜିତ ହୋଇଥାଏ। ଉତ୍ସବକୁ ଆକର୍ଷଣୀୟ କରିବାକୁ ଆୟୋଜକ କମିଟି ହାଇ ବଜେଟ୍ରେ ନାମୀଦାମୀ କଳାକାରଙ୍କୁ ମଞ୍ଚରେ ଏକାଠି କରିଥାଏ। ଗୋଷ୍ଠୀ ବିବାଦ ପୂର୍ବରୁ ଉତ୍କଳ ସାଂସ୍କୃତିକ ପରିଷଦକୁ ବିଜେଡି ସମ୍ପୂର୍ଣ୍ଣ ସହଯୋଗ କରିଆସୁଥିଲା। ଦୁଇଗୋଷ୍ଠୀ ହେବା ପରେ ସ୍ଥିତି ସମ୍ପୂର୍ଣ୍ଣ ଓଲଟପାଲଟ ହୋଇଯାଇଛି। ଏପରି ସ୍ଥିତି ସୃଷ୍ଟି ହୋଇଛି ଗତ ବର୍ଷକତଳେ ‘ସିଭିଲଟାଉନସିପ୍ ସାଂସ୍କୃତିକ ପରିଷଦ’ ବ୍ୟାନରରେ ବୋଇତବନ୍ଦାଣ ଉତ୍ସବ ଆୟୋଜନ। ପାଦେ ଆଗରେ ରହିବାକୁ ଚଳିତଥର ଉତ୍କଳ ସାଂସ୍କୃ୍ତିକ ପରିଷଦ ଗୋଟିଏ ଦିନ ପରିବର୍ତ୍ତେ ଶକ୍ତିପ୍ରଦର୍ଶନ କରିବା ନାଁରେ ଦୁଇ ଦିନ ବୋଇତବନ୍ଦାଣଉତ୍ସବ ଆୟୋଜନ କରିବ।
ସିଭିଲଟାଉନସିପ୍ ସାଂସ୍କୃତିକ ପରିଷଦ ଗୋଟିଏ ଦିନ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି। ଦୁଇ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ବସିବା ପରେ ଗୋଷ୍ଠୀ ବିବାଦ କଥା ସାମ୍ନାକୁ ଆସିଛି। ସିଭିଲଟାଉନ୍ସିପ୍ ସାଂସ୍କୃତିକ ପରିଷଦ ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ଘନିଷ୍ଠ ନେତା ଓ ନେତ୍ରୀ ବସିଥିବା ଦେଖିବାକୁ ମିଳିଥିଲା। ଅନୁରୂପ ଭାବେ ଉତ୍କଳ ସାଂସ୍କୃତିକ ପରିଷଦର ସାମ୍ବାଦିକ ସମ୍ମିଳନୀରେ କୁନିବିହାରୀ ଦାସ ଓ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇଙ୍କ ଘନିଷ୍ଠ ନେତାମାନେ ଉପସ୍ଥିତ ଥିଲେ। କେବଳ ଏତିକି ନୁହେଁ ବିଧାୟକ ସାରଦାଙ୍କ କାର୍ଯ୍ୟକ୍ରମରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଥିବା କିଛି ବିଜେଡିର ଯୁବ ଓ ପୁରୁଖା ନେତା କୁନବିହାରୀ ଦାସ ଓ ସୁବ୍ରତ ତରାଇଙ୍କୁ ଭିତିରି ସମର୍ଥନ କରୁଥିବା ଜଣାପଡ଼ିଛି। ତେବେ ଆସନ୍ତା ୨୫ ଓ ୨୬ରେ ଉତ୍କଳ ସାଂସ୍କୃତିକ ପରିଷଦ ଓ ୨୬ରେ ସିଭିଲଟାଉନସିପ୍ ସାଂସ୍କୃତିକ ପରିଷଦର ବୋଇତ ବନ୍ଦାଣ ଉତ୍ସବରେ ଶକ୍ତିପ୍ରଦର୍ଶନ ଆସନ୍ତା ସାଧାରଣ ନିର୍ବାଚନରେ କେତେ ପ୍ରତିଫଳିତ ହେଉଛି, ତା’ ଉପରେ ସହରବାସୀଙ୍କ ନଜର ରହିଛି।