ଭୁବନେଶ୍ବର : ଆସନ୍ତା ୬ ତାରିଖରେ ‌ଶ୍ରାବଣ ମାସର ପ୍ରଥମ ସୋମବାର। କିନ୍ତୁ ଏଥର ବୋଲ୍‌ବମ୍‌ ଭକ୍ତ(କାଉଡ଼ିଆ)ମାନେ ପାଣି ଉଠାଇ ଶିବ ମନ୍ଦିର ଯାଇପାରିବେ ନାହିଁ। ରାଜ୍ୟ ସରକାର ବୋଲବମ୍‌ ଯାତ୍ରା ଉପରେ ରୋକ୍ ଲଗାଇଛନ୍ତି। କରୋନା ପାଇଁ ଧାର୍ମିକ କାର୍ଯ୍ୟ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଟକଣା ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି।

Advertisment

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ବତନ୍ତ୍ର ରିଲିଫ୍‌ କମିସନର୍‌(ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା ଏହି ପ୍ରସଙ୍ଗରେ ସୂଚନା ‌େଦଇ କହିଛନ୍ତି ଯେ ରାଜ୍ୟରେ ସମସ୍ତ ଧାର୍ମିକ ସ୍ଥଳୀ
ସର୍ବସାଧାରଣଙ୍କ ପାଇଁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଛି। ସାମାଜିକ, ରାଜନୈତିକ ଓ ଧାର୍ମିକ ଉତ୍ସବ ଉପରେ କଟକଣା ଜାରି କରାଯାଇଛି। ଶ୍ରାବଣ ମାସରେ ରାଜ୍ୟର କିଛି ଧାର୍ମିକ ସ୍ଥାନରୁ ଶ୍ରଦ୍ଧାଳୁମାନେ ପାଣି ନେଇ ଖାଲି ପାଦରେ ଚାଲି ଚାଲି ଶିବ ମନ୍ଦିର ଯା’ନ୍ତି। ସାଧାରଣତଃ ଶନିବାର, ରବିବାର ସେମାନେ ପାଣି ଉଠାନ୍ତି ଓ ସୋମବାର ଶିବ ମନ୍ଦିରରେ ପାଣି ଢାଳନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ଜାରି ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ ଏହି କାର୍ଯ୍ୟକୁ ଅନୁମତି ଦିଆଯାଇପାରିବ ନାହିଁ। ତେଣୁ ଶ୍ରାବଣ ମାସରେ କାଉଡ଼ିଆମାନଙ୍କ ପାଣି ଉଠାଇବା, ରାସ୍ତାରେ ଚାଲିବା ଓ ମନ୍ଦିରକୁ ପ୍ରବେଶ କରିବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି। ଜନସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହାକୁ କଡ଼ାକଡ଼ି ପାଳନ କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି।