ଭୁବନେଶ୍ବର : ରାଜ୍ୟରେ ଦ୍ବିତୀୟ ଦିନ ଲାଗି କୋଭିଡ ସଂକ୍ରମଣ ହଜାର ଉପରେ ରହିଛି। ଜିଲ୍ଲାକୁ ଜିଲ୍ଲା ସଂକ୍ରମଣ ବଢ଼ିବାରେ ଲାଗିଛି। ଏବେ ଦୈନିକ ପ୍ରାୟ ୩୦ ଜିଲ୍ଲାରୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ନିକଟରେ ରଥଯାତ୍ରା ପାଇଁ ପୁରୀରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିବା ବେଳେ ଆଗକୁ ଶ୍ରାବଣ ମାସ ପାଇଁ ଲକ୍ଷାଧିକ ସଂଖ୍ୟକ କାଉଡ଼ିଆ ବିଭିନ୍ନ ମନ୍ଦିରରେ ଏକାଠି ହେବାର ଅନୁମାନ କରାଯାଉଛି। ଯାହାକି ରାଜ୍ୟ ସଂକ୍ରମଣକୁ ଆହୁରି ବଢ଼ାଇପାରେ। ତେଣୁ କାଉଡ଼ିଆମାନେ କୋଭିଡ ନିୟମ ପାଳନ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିବେଦନ କରାଯାଇଛି।

Advertisment

ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର କହିଛନ୍ତି ଯେ ଶ୍ରାବଣ ମାସରେ କାଉଡ଼ିଆମାନେ ମାସ୍କ ପିନ୍ଧିବା ସହିତ କୋଭିଡ ନିୟମ ପାଳନ କରନ୍ତୁ। ଦଳ ଦଳ ହୋଇ ନ ଚାଲି ଦୂରତା ରକ୍ଷା କରି ଚାଲନ୍ତୁ। ମନ୍ଦିରରେ ଲାଇନ୍‌ରେ ଠିଆ ହେବା ସମୟରେ ଦୂରତା ରଖନ୍ତୁ। କୋଭିଡ ସଂକ୍ରମଣକୁ ରୋକିବାକୁ ହେଲେ ଜନ ସହଭାଗିତା ଅଧିକ ଜରୁରୀ। ମହାରାଷ୍ଟ୍ର, ତାମିଲନାଡ଼ୁ, ଦିଲ୍ଲୀ, କେରଳ ଆଦି ରାଜ୍ୟରେ ସଂକ୍ରମଣ ଏବେ ଖସିବାକୁ ଆରମ୍ଭ କଲାଣି। ମାତ୍ର ଆମ ପଡ଼ୋଶୀ ରାଜ୍ୟରେ ସଂକ୍ରମଣ ବଢ଼ୁଛି। ସେହି ଅନୁପାତରେ ଆମ ରାଜ୍ୟରେ ସଂକ୍ରମଣ ବଢ଼ୁଛି। ହେଲେ ପୂର୍ବ ଲହର ଭଳି ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁନାହିଁ। ଏବେ ରାଜ୍ୟରେ ପ୍ରାୟ ୫ହଜାର ଚିକିତ୍ସାଧୀନ ରୋଗୀଙ୍କ ମଧ୍ୟରୁ ୩୯ଜଣ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି। ହସ୍ପିଟାଲରେ ଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ଆଇସିୟୁରେ ଅଛନ୍ତି। ଏହାର ଅର୍ଥ ଲୋକଙ୍କଠାରେ ଲକ୍ଷଣ ଦେଖାଯାଉନି ବା ସ୍ବଳ୍ପ ଲକ୍ଷଣ ରହୁଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଭୁତାଣୁ ଯେତେ ମ୍ୟୁଟେଟ୍‌ ହେବ ତା’ର ସଂକ୍ରମଣ ହାର ଅଧିକ ରହିବ। ମାତ୍ର ଏହାଦ୍ବାରା କେତେ ସଂଖ୍ୟକ ଲୋକ ହସ୍ପିଟାଲରେ ଭର୍ତି ହେବେ ଓ କେତେ ରୋଗ କରିବ ତାହାକୁ ଜାଣିବା ଲାଗି ଅପେକ୍ଷା କରିବାକୁ ପଡ଼ିବ। ତେଣୁ ଯେଉଁମାନଙ୍କଠାରେ ଥଣ୍ଡା, ଜ୍ବର, କାଶ ହେଉଛି ସେମାନେ କୋଭିଡ ପରୀକ୍ଷା କରାଇନେବା ଉଚିତ୍ ବୋଲି ଡା.ମିଶ୍ର କହିଛନ୍ତି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୦୬୫ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଧାରୁ ଲଗାତାର ଭାବେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଖୋର୍ଧାରୁ ୩୬୧, କଟକ ୧୩୫, ସୁନ୍ଦରଗଡ଼ ୧୧୧, ସମ୍ବଲପୁର ୫୮, ମୟୂରଭଞ୍ଜ ୫୨, ପୁରୀ ୪୪, ସୋନପୁର ୩୧, ଜଗତସିଂହପୁର, ଯାଜପୁରରୁ ୨୧ଜଣ ଲେଖାଏ ଓ ଷ୍ଟେଟ୍‌ ପୁଲରୁ ୭୬ଜଣ ବାହାରିଛନ୍ତି। ‌ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨,୯୬,୨୪୦କୁ ବୃଦ୍ଧି ପାଇଛି। ସଂକ୍ରମଣ ବଢ଼ିଥିଲେ ହେଁ କୌଣସି କୋଭିଡ ମୃତ୍ୟୁ ଘୋଷଣା ହୋଇନାହିଁ। ରାଜ୍ୟରେ ଆଜି ୫୫୨ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏବେ ୪୮୨୪ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୧୭୩୨ ଚିକିତ୍ସାଧୀନ ରୋଗୀ ରହିଛନ୍ତି।