ବଲାଙ୍ଗୀର: ନିମ୍ନମାନର ରାସ୍ତାକାମ ଲାଗି ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ପାଟଣାଗଡ ବିଧାୟକ ସରୋଜ ମେହେର ସର୍ବସାଧାରଣରେ ଉଠବସ୍ କରାଇବା ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ଉପଜିଲ୍ଲାପାଳଙ୍କୁ ଭିଡିଓର ସତ୍ୟାସତ୍ୟ ନେଇ ରିପୋର୍ଟ ତଲବ କରିଛନ୍ତି ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ।

Advertisment
ଅନ୍ୟପଟେ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଦବଙ୍ଗଗିରି ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଅରବିନ୍ଦ ଢାଲି । ସେ କହିଛନ୍ତି, ସୋସିଆଲ ମିଡିଆରେ ଅନେକ ସମୟରେ ଭୁଲ ଘଟଣା ମଧ୍ୟ ଆସିଥାଏ । ତେବେ ଯଦି ଏହି ଘଟଣା ସତ ହୋଇଥିଲେ ଅସମୀଚୀନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁଲ ଠିକର ବିଚାର କରି ପଦକ୍ଷେପ ନେବେ ।
ସୂଚନା ଅନୁଯାୟୀ, ନିମ୍ନ ମାନର ରାସ୍ତା କାମ ପାଇଁ ରାସ୍ତା ଉପରେ କନିଷ୍ଠ ଯନ୍ତ୍ରୀଙ୍କୁ ତାଗିଦ୍ କରିବା ସହ ଉଠବସ୍ କରାଇଥିଲେ ନବ ନିର୍ବାଚିତ ପାଟଣାଗଡ ବିଧାୟକ ସରୋଜ ମେହେର । ମଂଡନରୁ ବେଲପଡାକୁ ନିର୍ମାଣ ହୋଇଥିବା ରାସ୍ତା କାମ ଅତି ନିମ୍ନମାନର ହୋଇଥିବା ନେଇ ଦେଖିବା ପରେ ତାତି ଉଠିଥିଲେ ବିଧାୟକ । କୋଦାଳରେ ଖୋଳିଲେ ବି ପିଚୁ ଉଠିଯାଉଛି । କେବଳ ସେତିକି ନୁହଁ, ହାତରେ ପିଚୁ ଖଣ୍ଡକୁ ଟାଣିଲେ ବି ଖଣ୍ଡ ଖଣ୍ଡ ହୋଇ ଉଠିଯାଉଛି । ଏପରି ରାସ୍ତା ନିର୍ମାଣ କାମ ଦେଖିବା ପରେ, ପାଟଣାଗଡ ବିଧାୟକ, ଏହି ରାସ୍ତା କାମର ଦାୟିତ୍ୱରେ ଥିବା ସହକାରୀ ଯନ୍ତ୍ରୀଙ୍କୁ ଉଠବସ୍ କରାଇଥିଲେ । ଏହି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।