ସନ୍ଥକବି ଭୀମ ଭୋଇଙ୍କ ନାମରେ ନାମିତ ବଲାଙ୍ଗିର ମେଡିକାଲ କଲେଜକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର: ଆଜି ବଲାଙ୍ଗିରରେ ଭୀମଭୋଇ ମେଡିକାଲ କଲେଜର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମେଡିକାଲ କଲେଜକୁ ଲୋକର୍ପିତ କରିଛନ୍ତି । ଏହି ମେଡିକାଲ୍ କଲେଜକୁ ସନ୍ଥକବି ଭୀମ ଭୋଇଙ୍କ ନାମରେ ନାମିତ କରିଛନ୍ତି। ଏହି ଅବସରରେ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଉପସ୍ଥିତ ଅଛନ୍ତି। ଗତ ଦୁଇ ଦଶନ୍ଧି ଧରି ବଲାଙ୍ଗିର ଜିଲ୍ଳାବାସୀ ସରକାରୀ ମେଡିକାଲ କଲେଜ ନେଇ ଯେଉଁ ଅପେକ୍ଷା କରିଥିଲେ ତାର ଅନ୍ତ ଘଟିଛି । ଦୀର୍ଘଦିନର ଦାବି ପୂରଣ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ବିଶେଷ କରି ସନ୍ଥକବି ଭୀମଭୋଇଙ୍କ ନାଁରେ ମେଡିକାଲ କଲେଜ ନାମିତ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଆସୁଥିଲେ । ଏହା ପୂରଣ ହୋଇଥିବାରୁ ଜନସାଧାରଣରେ ଆନନ୍ଦ ପ୍ରକାଶ ପାଇଛି।

ଅନ୍ୟପଟେ ଗତକାଲି ଭୀମଭୋଇ ମେଡିକାଲ କଲେଜର ଉଦଘାଟନ ଉତ୍ସବର ନିମନ୍ତ୍ରଣ ପତ୍ରକୁ ନେଇ ମୁହାଁମୁହିଁ ହୋଇଥିଲେ ବିଜେଡି ଓ ବିଜେପି । ମେଡିକାଲ କଲେଜର ଉଦଘାଟନ ପାଇଁ ଦୁଇ ଦୁଇଟି ନିମନ୍ତ୍ରଣ ପତ୍ର ଛପାଯାଇଥିବା ଜଣାପଡିଛି । ସରକାର ପୂର୍ବରୁ ଏକ ନିମନ୍ତ୍ରଣ ପତ୍ର ପ୍ରସ୍ତୁତ କରିଥିଲେ । ହେଲେ ଶେଷ ମୂହୂର୍ତରେ ଆଉ ଏକ ନିମନ୍ତ୍ରଣ ପତ୍ର ଛପାଯାଇ ପୁଣି ବଣ୍ଟା ଯାଇଥିଲା । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି କେନ୍ଦ୍ରମନ୍ତ୍ରୀ ଶ୍ରୀ ନଡ୍ଡାଙ୍କ ଯୋଗଦାନ ଯୋଗଦାନ ସମ୍ପର୍କରେ ସମ୍ମତି ପତ୍ର ମିଳିନଥିଲା ତେଣୁ ପୂର୍ବରୁ ଛପାଯାଇଥିବା ନିମନ୍ତ୍ରଣ ପତ୍ରରେ ତାଙ୍କ ନାମ ନଥିଲା । ମାତ୍ର ଗତକାଲି କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟାଳୟ ନଡ୍ଡାଙ୍କ ଯୋଗଦାନ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରିଥିଲେ । ଏଣୁ ତୁରନ୍ତ ଏକ ନୂତନ ନିମନ୍ତ୍ରଣ ପତ୍ର ପ୍ରସ୍ତୁତ କରାଯାଇଥିଲା ।

ସମ୍ବନ୍ଧିତ ଖବର